ଭୁବନେଶ୍ୱର: ରାଜସଭା ନିର୍ବାଚନକୁ ନେଇ ବିଜୁ ଜନତା ଦଳ ଯେଉଁ ରାଜନୀତି ଖେଳିଛି ତାହା ଧିରେ ଧିରେ ସାମ୍ନାକୁ ଆସିଛି । ଆଜି ସେଥିପାଇଁ ଦଳର ନେତା ମାନେ ଦଳର ମୁଖିଆଙ୍କୁ ନାଲି ଆଖି ଦେଖାଇବାକୁ ଆରମ୍ଭ କଲେଣି । ୬ ଜଣ ନିଲମ୍ବିତ ବିଧାୟକ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନାଁରେ ଫୌଜଦାରୀ ମାମଲା କରିବେ ବୋଲି ଚେତାବନୀ ଦେଇଛନ୍ତି ।
କ୍ରସ୍ ଭୋଟିଂ କରିବା ଅଭିଯୋଗରେ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ବିଜେଡିର ୬ ନିଲମ୍ବିତ ବିଧାୟକ ଆଜି ଜବାବ ରଖିଛନ୍ତି । ନିଜ ଜବାବରେ କାରଣ ଦର୍ଶାଇବା ବଦଳରେ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ଖୋଲା ଚେତାବନୀ ଦେଇଛନ୍ତି । ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍ କାମ କରେ ନାହିଁ । ଏହା ଜାତୀୟ ନିର୍ବାଚନ ଆୟୋଗ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା । ମୁଖ୍ୟ ସଚେତକ ହ୍ୱିପ୍ ଜାରି ବେଆଇନ କାର୍ଯ୍ୟ କରିଛନ୍ତି । ପ୍ରଥମେ ଭୋଟ୍ ଦେବା ପାଇଁ କହିବା ଏବଂ ପରବର୍ତ୍ତୀ ସମୟରେ ସେଥିରୁ ବିରତ ରହିବା ପାଇଁ ପ୍ରବର୍ତ୍ତାଇବା ଦଣ୍ଡନୀୟ ଅପରାଧ ଅଟେ । ଏଥିପାଇଁ ଭାରତୀୟ ନ୍ୟାୟ ସଂହିତା - ୧୭୧ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ । ଏଥିରେ ଏକ ବର୍ଷ ପାଇଁ ଜେଲ ଦଣ୍ଡ ଭୋଗିବାର ପ୍ରାବଧାନ ରହିଛି । ତେଣୁ କାରଣ ଦର୍ଶାଅ ନୋଟିସ୍ ପ୍ରତ୍ୟାହାର ନ କଲେ ମୁଖ୍ୟ ସଚେତକ ବିରୁଦ୍ଧରେ ଫୌଜଦାରୀ ମାମଲା କରିବାକୁ ବିଧାୟକମାନେ ଚେତାବନୀ ଦେଇଛନ୍ତି ।
ଗତ ୧୬ ତାରିଖରେ ଅନୁଷ୍ଠିତ ରାଜସଭା ନିର୍ବାଚନରେ ବିଜେଡ଼ିର ୬ ଜଣ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ଚକ୍ରମଣି କହଁର, ସୁବାସିନୀ ଜେନା, ରମାକାନ୍ତ ଭୋଇ ଏବଂ ନବ କିଶୋର ମଲ୍ଲିକ କ୍ରସ୍ ଭୋଟିଂ କରିଥିଲେ । ଯେଉଁଥିପାଇଁ ବିଜେଡ଼ି ସେମାନଙ୍କୁ ନିଲମ୍ବିତ କରିଥିଲେ । ମୁଖ୍ୟ ସଚେତକ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।