ଆଜିକାଲି ଡ୍ରାଏ ଆଇଜ୍ ବା ଆଖି ଶୁଖିଯିବା ସମସ୍ୟା ଅତି ସାଧାରଣ ହୋଇଗଲାଣି। ଅଧିକ ସମୟ ସ୍କ୍ରିନ୍ ବ୍ୟବହାର କରିବା କିମ୍ବା ଅଫିସ୍ କାମ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ। ଲୋକମାନେ ଏହାର ଚିକିତ୍ସା ପାଇଁ ବଜାରରୁ ନିଜେ ଆଇ ଡ୍ରପ୍ସ କିଣି ବ୍ୟବହାର କରନ୍ତି, କିନ୍ତୁ ଏହି ଡ୍ରପ୍ସଗୁଡ଼ିକ ଏବେ ବିଷ ସଦୃଶ କାମ କରୁଛି। କେନ୍ଦ୍ରୀୟ ଔଷଧ ନିୟାମକ ଏହା ଉପରେ ତୁରନ୍ତ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
CDSCO ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡ୍ରଗ୍ କଣ୍ଟ୍ରୋଲର୍ମାନଙ୍କୁ ଚିଠି ଲେଖି ଜଣାଇଛି ଯେ, ‘ସୋଡିୟମ୍ ହାଇଲୁରୋନେଟ୍ ଆଇ ଡ୍ରପ୍ସ ୦.୩%’ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ବାଧ୍ୟତାମୂଳକ ଅନୁମତି ବିନା ପ୍ରସ୍ତୁତ ଓ ବିକ୍ରି କରାଯାଉଛି। ଏହା ଏକ 'ନୂଆ ଔଷଧ' ଶ୍ରେଣୀଭୁକ୍ତ, ଯାହାକୁ ବଜାରକୁ ଛାଡ଼ିବା ପୂର୍ବରୁ ଅନୁମତି ନେବା ଆବଶ୍ୟକ। ବିନା ଅନୁମତିରେ ଏହାର ବିକ୍ରି ଲୋକଙ୍କ ଆଖିର ସୁରକ୍ଷାକୁ ବିପଦରେ ପକାଇଛି।
ଡ୍ରାଏ ଆଇଜ୍ର ଲକ୍ଷଣ କ’ଣ?
• ଆଖି ପୋଡ଼ିବା ଏବଂ କ୍ରମାଗତ କୁଣ୍ଡେଇ ହେବା।
• ଆଖିପତା ବା ଆଖି କୋଣରେ କିଛି ଫୁଟିଲା ଭଳି ଅନୁଭବ ହେବା।
• ଆଖି ନାଲି ପଡ଼ିବା।
• ଆଖିରୁ ପାଣି ବାହାରିବା।
• ଦୃଷ୍ଟିଶକ୍ତି ଦୁର୍ବଳ ବା ଅସ୍ପଷ୍ଟ ହେବା।
• ଆଖିରେ ଭାରିପଣ ଏବଂ ଥକ୍କାପଣ ଅନୁଭବ ହେବା।
• ଆଲୋକ ପ୍ରତି ସଂବେଦନଶୀଳତା
• ସକାଳୁ ଉଠିବା ବେଳକୁ ଆଖି ଚିପକିବା।
ଏହି ଆଇ ଡ୍ରପ୍ସ କିପରି କାମ କରେ?
ଏମ୍ସ ଆରପି ସେଣ୍ଟରର ପ୍ରଫେସର ଡାକ୍ତର ନମ୍ରତା ଶର୍ମାଙ୍କ ଅନୁଯାୟୀ, ଏହି ଆଇ ଡ୍ରପ୍ସଗୁଡ଼ିକ 'କୃତ୍ରିମ ଲୁହ' ଭାବରେ କାମ କରେ, ଯାହା ଆଖିର ଶୁଷ୍କତା ଓ ପୋଡ଼ାଜଳା କମାଇଥାଏ। କିନ୍ତୁ ଯଦି ଏହି ଡ୍ରପ୍ସଗୁଡ଼ିକ ନିମ୍ନମାନର ହୋଇଥାଏ, ତେବେ ଏହା ଆଖିକୁ ଆରାମ ଦେବା ବଦଳରେ କ୍ଷତି ପହଞ୍ଚାଇଥାଏ। ତେଣୁ CDSCO ପରାମର୍ଶ ଦେଇଛି ଯେ କେବଳ ଡାକ୍ତରଙ୍କ ପରାମର୍ଶରେ ହିଁ ଆଇ ଡ୍ରପ୍ ବ୍ୟବହାର କରନ୍ତୁ।
ଏହି ଆଇ ଡ୍ରପ୍ସ ବ୍ୟବହାରର ବଡ଼ କ୍ଷତି:
1. ସଂକ୍ରମଣର ଭୟ: ବିନା ଅନୁମୋଦନ ପ୍ରାପ୍ତ ଔଷଧ ବ୍ୟବହାର କଲେ 'କଞ୍ଜୁକ୍ଟିଭାଇଟିସ୍' ବା ଆଖି ଧରିବା ଭଳି ସଂକ୍ରମଣ ହୋଇପାରେ।
2. ଶୁଷ୍କତା ବୃଦ୍ଧି: ଏହା ଆଖିର ଜ୍ୱଳନକୁ ଆହୁରି ବଢ଼ାଇପାରେ ଏବଂ ଆଖିକୁ ଅଧିକ ଶୁଖିଲା କରିଦେଇପାରେ।
3. ନିମ୍ନ ମାନ: ଏହି ଔଷଧର ଶୁଦ୍ଧତା ବା ଗୁଣବତ୍ତାର କୌଣସି ଗ୍ୟାରେଣ୍ଟି ନଥାଏ, ଯାହା ଆଖିର ରୋଗକୁ ବଢ଼ାଇ ଦେଇଥାଏ।
କେଉଁ କଥା ଗୁଡ଼ିକ ପ୍ରତି ଧ୍ୟାନ ଦେବା ଜରୁରୀ:
• ଏକ ମାସ ପରେ ବ୍ୟବହାର କରନ୍ତୁ ନାହିଁ: ଯଦିଓ ଆଇ ଡ୍ରପ୍ ଖୋଲିବା ପରେ ଭଲ ଥାଏ, କିନ୍ତୁ ଏକ ମାସ ପରେ ତାହାକୁ ଫିଙ୍ଗି ଦେବା ଉଚିତ, ଯେପରି ସଂକ୍ରମଣ ନ ବ୍ୟାପେ।
• ନିଜେ ଡାକ୍ତର ହୁଅନ୍ତୁ ନାହିଁ: ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଆଖି ଔଷଧ ବ୍ୟବହାର କରନ୍ତୁ ନାହିଁ।
• ମେଡିକାଲ୍ ଷ୍ଟୋରରୁ ସିଧାସଳଖ କିଣନ୍ତୁ ନାହିଁ: କେବଳ କ୍ୟାମିଷ୍ଟ୍ କଥାରେ ପଡ଼ି ଔଷଧ ପକାନ୍ତୁ ନାହିଁ। ମନେରଖନ୍ତୁ, ଆଖି ଅତି ଅମୂଲ୍ୟ, ଥରେ କ୍ଷତି ହେଲେ ଏହାକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା କଷ୍ଟକର।