ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ଯୁବକଙ୍କୁ ସାର୍ବଜନୀନ ଭାବେ ମାଡ଼ମାରି ହତ୍ୟା କରାଯାଇଥିବା ଅଭିଯୋଗ ପରେ ରାଜ୍ୟ ମହିଳା କମିସନ ଘଟଣାକୁ ଗୁରୁତ୍ୱ ସହ ନେଇଛନ୍ତି। ଶୁକ୍ରବାର ମହିଳା କମିସନ ଅଧ୍ୟକ୍ଷା ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ।
ସ୍ଥାନୀୟ ଲୋକଙ୍କ ମାଡ଼ରେ ଗୁରୁତର ହୋଇଥିବା ସୌମ୍ୟରଞ୍ଜନଙ୍କୁ ପୁଲିସ ଉଦ୍ଧାର କରି ମେଡିକାଲ ନେଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆକ୍ରୋଶ ସୃଷ୍ଟି ହୋଇଥିବାବେଳେ ମହିଳା କମିସନ ଅଧ୍ୟକ୍ଷା କହିଛନ୍ତି, “ସାକ୍ଷ୍ୟ, ପ୍ରମାଣ ଓ ବୟାନ ଆଧାରରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ଯିଏ ଦୋଷୀ, ସେ ଯେତେ ପ୍ରଭାବଶାଳୀ ହେଉନାହିଁ, କାହାକୁ ମଧ୍ୟ ଛାଡ଼ାଯିବ ନାହିଁ।”
କମିସନ ଟିମ୍ ପ୍ରଥମେ ଅଭିଯୋଗକାରୀ ଯୁବତୀଙ୍କ ଘରକୁ ଯାଇ ତାଙ୍କର ବୟାନ ରେକର୍ଡ କରିଥିଲେ। ପରେ ମୃତ ସୌମ୍ୟରଞ୍ଜନଙ୍କ ପରିବାର ସହ ମଧ୍ୟ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିବାକୁ ଯାଇଥିଲେ। ଘଟଣା ଦିନ କ’ଣ ଘଟିଥିଲା, ସେନେଇ ଯୁବତୀ ମଧ୍ୟ ମୁହଁ ଖୋଲିଥିବା ଜଣାପଡ଼ିଛି।
ଏପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ କଠୋର ମନୋଭାବ ଦେଖାଇଛନ୍ତି। ସେ ଡିଜିପିଙ୍କ ସହ ଆଲୋଚନା କରି ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଆକ୍ରମଣକାରୀଙ୍କୁ ଖୋଜୁଛି ପୁଲିସ।