ବିସିସିଆଇ ଗୁରୁବାର ଦିନ ସମସ୍ତ ୧୦ ଟି ଆଇପିଏଲ ଟିମକୁ ଏକ ୮ ପେଜ ବିଶିଷ୍ଟ ଏକ ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି, ଯେଉଁଥିରେ ପ୍ରୋଟୋକଲ ଭାଙ୍ଗିବା ଘଟଣାରେ ଚିନ୍ତା ବ୍ୟକ୍ତ କରିବା ସହ ଭବିଷ୍ୟତରେ ଏହି ପ୍ରୋଟୋକଲ ଗୁଡିକ କଡାକଡି ଭାବେ ପାଳନ କରିବା ପାଇଁ ଏକ ଏସଓପି ଜାରି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ ସମସ୍ତ ୧୦ ଟି ଆଇପିଏଲ ଫ୍ରାଞ୍ଚାଇଜିର ସିଇଓଙ୍କୁ ଚିଠି ଲେଖିଛନ୍ତି । ଏହି ନିର୍ଦ୍ଦେଶନାମାରେ ସାଇକିଆ ଲେଖିଛନ୍ତି, "ଚଳିତ ସିଜିନରେ କିଛି ଘଟଣାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି, ଆଇପିଏଲ ସହିତ ଜଡିତ ସମସ୍ତ ବ୍ୟକ୍ତି ବୃତ୍ତିଗତ ମାନଦଣ୍ଡ, ଶୃଙ୍ଖଳା, ସୁରକ୍ଷା ସଚେତନତା ଓ ପ୍ରୋଟୋକଲକୁ ପାଳନ କରିବେ।"
ଏହି ଆଠ ପୃଷ୍ଠାରେ ଆଣ୍ଟି କରପସନ୍ ଓ ସୁରକ୍ଷା ୟୁନିଟ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ଅନେକ ଉଲ୍ଲଙ୍ଘନର ଉଲ୍ଲେଖ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ ଦଳର ମ୍ୟାନେଜରଙ୍କ ଅଜାଣତରେ କିମ୍ବା ବିନା ଅନୁମତିରେ ବାହାର ଲୋକଙ୍କୁ ନିଜ ହୋଟେଲ ରୁମରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି । ଅନେକ ସମୟରେ ଟିମ ମ୍ୟାନେଜରଙ୍କୁ ଏହି ଲୋକଙ୍କ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ । ବିସିସିଆଇ ଏହି ଘଟଣା ଉପରେ ତୁରନ୍ତ ରୋକ ଲଗାଇଛନ୍ତି ।
ବିସିସିଆଇ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ତିନୋଟି ନିର୍ଦ୍ଦେଶ ଜାରି କରିଛି:
୧. କୌଣସି ବ୍ୟକ୍ତି, ସେମାନଙ୍କର ପରିଚୟ, ସମ୍ପର୍କ କିମ୍ବା ଦେଖା କରିବାର ଉଦ୍ଦେଶ୍ୟ ଯାହା ହେଉନା କାହିଁକି, ଦଳର ମ୍ୟାନେଜରଙ୍କ ଲିଖିତ ଅନୁମତି ବିନା କୌଣସି ଖେଳାଳି କିମ୍ବା ସପୋର୍ଟ ଷ୍ଟାଫଙ୍କ ହୋଟେଲ ରୁମରେ ପ୍ରବେଶ କରିପାରିବେ ନାହିଁ।
୨. ଅତିଥି କିମ୍ବା ସମ୍ପର୍କୀୟ ହୋଟେଲର ସାର୍ବଜନୀନ କ୍ଷେତ୍ରରେ, ଯେପରିକି ଲବି କିମ୍ବା ରିସେପ୍ସନ ଏରିଆରେ ସାକ୍ଷାତ କରିପାରିବେ । କୌଣସି ଅତିଥିଙ୍କୁ କାହା ବ୍ୟକ୍ତିଗତ ରୁମରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଯଦି କେହି ରୁମରେ ପ୍ରବେଶ କରିବାକୁ ଚାହାନ୍ତି ତେବେ ମ୍ୟାନେଜରଙ୍କ ଠାରୁ ଲିଖିତ ଅନୁମତି ନେବାକୁ ପଡିବ।
୩. ବିସିସିଆଇ ଫ୍ରାଞ୍ଚାଇଜିଗୁଡ଼ିକୁ "ହନି ଟ୍ରାପ୍" ଓ ପୂର୍ବରୁ ଚିହିଁତ ଟାର୍ଗେଟିଂଙ୍କ ସମ୍ପର୍କରେ ସତର୍କ ରହିବାକୁ ପରାମର୍ଶ ଦେଇଛି। ବୋର୍ଡ ଚେତାବନୀ ଦେଇଛି ଯେ ଏପରି ଘଟଣାରେ ସମ୍ପୃକ୍ତି ଭାରତୀୟ ଆଇନ ଅନୁଯାୟୀ ଯୌନ ଶୋଷଣ ଭଳି ଗମ୍ଭୀର ଅଭିଯୋଗ ଲାଗିପାରେ।
ଫ୍ରାଞ୍ଚାଇଜି ମାଲିକମାନଙ୍କୁ ମାନ୍ଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ବିସିସିଆଇ
ଖେଳାଳିମାନଙ୍କ ବ୍ୟତୀତ, ବିସିସିଆଇ କିଛି ଫ୍ରାଞ୍ଚାଇଜି ମାଲିକଙ୍କ ଦ୍ୱାରା ପ୍ଲେଆର ଓ ମ୍ୟାଚ ଅଫିସିଆଲ ଏରିଆ (PMOA) ପ୍ରୋଟୋକଲ ଉଲ୍ଲଂଘନ ସମ୍ପର୍କରେ ମଧ୍ୟ ଚିନ୍ତା ପ୍ରକାଶ କରିଛି। ବିସିସିଆଇ କହିଛି ଯେ ମ୍ୟାଚ ପରେ କିଛି ମାଲିକ ମାନେ ଏହି ନିୟମର ଉଲ୍ଲଙ୍ଘନ କରୁଛନ୍ତି, ସେମାନେ ମ୍ୟାଚ ପରେ ଖେଳାଳିଙ୍କ ସହିତ ସାକ୍ଷାତ କରୁଛନ୍ତି ଓ କଥାବାର୍ତ୍ତା ମଧ୍ୟ କରୁଛନ୍ତି । ବୋର୍ଡ ଏହା ଉପରେ ମଧ୍ୟ ନିର୍ଦ୍ଧିଷ୍ଟ ନିର୍ଦ୍ଦେଶନାମା ଜାରି କରିଛି ।
୧. ମ୍ୟାଚ ସମୟରେ ଦଳର ମାଲିକ ଓ ସେମାନଙ୍କ ପ୍ରତିନିଧି ଦଳର ଖେଳାଳି କିମ୍ବା ଡଗ୍ ଆଉଟ୍, ଡ୍ରେସିଂ ରୁମ୍ ଓ ଖେଳ ପଡିଆରେ ସିଧାସଳଖ ପ୍ରବେଶ କରିପାରିବେ ନାହିଁ । ଯଦି ସେମାନେ ଏଭଳି କରିବାକୁ ଚାହାନ୍ତି ତେବେ ପୂର୍ବ ଅନୁମୋଦନ ଗ୍ରହଣ କରିବାକୁ ପଡିବ।
୨. ପ୍ରତିବନ୍ଧିତ ଅଞ୍ଚଳରେ ମାଲିକଙ୍କ ପ୍ରବେଶ PMOA ପ୍ରୋଟୋକଲ ଦ୍ୱାରା କଡାକଡି ଭାବେ ପାଳନ କରାଯିବ । ଏହି କ୍ଷେତ୍ରରେ ନିୟମ ଉଲ୍ଲଙ୍ଘନକୁ ଗୁରୁତର ଅପରାଧ ଭାବେ ଗ୍ରହଣ କରାଯିବ।
୩. ମ୍ୟାଚ ପୂର୍ବରୁ ମାଲିକ ଓ ସେମାନଙ୍କ ସହଯୋଗୀମାନଙ୍କୁ ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବା ଫ୍ରାଞ୍ଚାଇଜି ପରିଚାଳନାର ଦାୟିତ୍ୱ ହେବ।
ଭେପିଂ ଉପରେ ନିଷେଧ
ଚଳିତ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗ ଡ୍ରେସିଂ ରୁମ ଭିତରେ ଭେପିଂ କରୁଥିବାର ଦେଖିବାକୁ ମିଳିଥିଲା। ଭାରତୀୟ ଆଇନ ଅନୁଯାୟୀ, ଭେପିଂ ଓ ଇ-ସିଗାରେଟର ଉତ୍ପାଦନ, ବିକ୍ରୟ ଓ ସେବନ ନିଷେଧ। ବିସିସିଆଇ ଏହି ପ୍ରସଙ୍ଗରେ ନିର୍ଦ୍ଦେଶନାମା ଜାରି କରିଛି ଓ କହିଛି "କୌଣସି ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ ଏହି ନିୟମର ଉଲ୍ଲଙ୍ଘନ କଲେ ସେମାନେ ବିସିସିଆଇ କିମ୍ବା ଆଇପିଏଲ ନୁହେଁ ବରଂ ଭାରତୀୟ ଆଇନର ଉଲ୍ଲଘଂନ କରୁଛନ୍ତି ଓ ଏହା ଏକ ଦଣ୍ଡନୀୟ ଅପରାଧ।"