ପ୍ଲେଅଫ ଦୌଡ଼ରେ ଜୀବିତ ରହିବା ପାଇଁ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ । ଦିଲ୍ଲୀ ବର୍ତ୍ତମାନ ୧୦ ଟି ମ୍ୟାଚ ଖେଳି ୪ ଟି ମ୍ୟାଚରେ ବିଜୟ ହାସଲ କରିଛି, ୮ ପଏଣ୍ଟ ସହ ଦିଲ୍ଲୀ ବର୍ତ୍ତମାନ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଅନ୍ୟପଟେ କୋଲକାତା ୯ ଟି ମ୍ୟାଚ ଖେଳି ୩ ଟି ବିଜୟ ହାସଲ କରିଛି ଓ ୭ ପଏଣ୍ଟ (ପଞ୍ଜାବ ବିପକ୍ଷ ମ୍ୟାଚ ବର୍ଷା ପାଇଁ ରଦ୍ଦ ହେବାରୁ ପଏଣ୍ଟ ଭାଗ ହୋଇଥିଲା) ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି ।
ଦିଲ୍ଲୀ ପାଇଁ ଚିନ୍ତାର ବିଷୟ ପାଲଟିଛି ଦିଲ୍ଲୀର ବ୍ୟାଟିଂ ଲାଇନ-ଅପ । କେଏଲ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସ୍ଥିର ପ୍ରଦର୍ଶନ କରିବାରେ ସଫଳ ହେଉନାହାନ୍ତି । ସମୀର ରିଜବି ସିଜିନ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ପରବର୍ତ୍ତୀ ମ୍ୟାଚ ଗୁଡିକରେ ସେହି ଫର୍ମ ସହ ଆଗକୁ ବଢ଼ିପାରିନଥିଲେ। ଆଶୁତୋଷ ଶର୍ମା ଓ କରୁଣ ନାୟରଙ୍କୁ ସୁଯୋଗ ମିଳିଥିଲେ ମଧ୍ୟ ସେଭଳି ପ୍ରଭାବଶାଳୀ ଇନିଂସ ଖେଳିନାହାନ୍ତି । ମିଚିଲ ଷ୍ଟାର୍କ ଦଳକୁ ଫେରିବା ପରେ ଦିଲ୍ଲୀର ବୋଲିଂ ୟୁନିଟ ଆହୁରି ମଜବୁତ ହୋଇଯାଇଛି । ଲୁଙ୍ଗି ଇଂଗିଡ଼ି ପୂର୍ବରୁ ଭଲ ଫର୍ମରେ ଅଛନ୍ତି ଓ କୁଲଦୀପ ଯାଦବ ମଧ୍ୟ ଦିଲ୍ଲୀ ବୋଲିଂକୁ ସନ୍ତୁଳନ ପ୍ରଦାନ କରୁଛନ୍ତି ।
କୋଲକାତାର ବ୍ୟାଟିଂ ଚଳିତ ସିଜିନରେ ଫ୍ୟାନ୍ସଙ୍କୁ ନିରାଶ କରିଛି । ଅଧିନାୟକ ରାହାଣେ ଓ ଫିନ ଆଲେନ ଓପନିଂରେ ଫେଲ ମାରୁଛନ୍ତି । ଅଂକ୍ରିଷ ରଘୁବଂଶୀ ନିରନ୍ତର କୋଲକାତା ପାଇଁ ରନ କରୁଛନ୍ତି ଓ ଦଳର ଉପ-ଅଧିନାୟକ ରିଙ୍କୁ ସିଂ ଫର୍ମକୁ ଫେରିଛନ୍ତି ।
କୋଲକାତାର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି କ୍ୟାମରନ ଗ୍ରୀନ ଉଭୟ ବ୍ୟାଟ ଓ ବଲରେ ଭଲ ପ୍ରଦର୍ଶନ କରିବାରେ ଫେଲ ମାରିଛନ୍ତି । ଦଳ ପାଇଁ ଭଲ କଥା ହେଲା ଦୁଇ ସ୍ପିନର ସୁନୀଲ ନାରିନ ଓ ବରୁନ ଚକ୍ରବର୍ତୀ ଫର୍ମରେ ଅଛନ୍ତି ।
ଦୁଇ ଦଳ ପାଇଁ ଆଜି କର ବା ମର ପରିସ୍ଥିତି । କୋଲକାତା ହାରିଲେ ପ୍ଲେଅଫରେ ପହଞ୍ଚିବା ସମ୍ଭାବନା ୯୦ ପ୍ରତିଶତ କମିଯିବ । ଯଦି ଦିଲ୍ଲୀ ପରାଜିତ ହୁଏ ତେବେ ଦିଲ୍ଲୀ ପାଇଁ ମଧ୍ୟ ପ୍ଲେଅଫ ଦୌଡ଼ କଷ୍ଟକର ହେବ । ତେଣୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଉଭୟ ଦଳ ଆଜି ବିଜୟ ପାଇଁ ସଂଘର୍ଷ କରିବେ ଓ ଆଜିର ମ୍ୟାଚ ବେଶ ରୋମାଞ୍ଚକର ହେବ ।