ଚଳିତ ଆଇପିଏଲ ସିଜିନରେ ପ୍ଲେଅଫ ଦୌଡ଼ରୁ ପ୍ରାୟତଃ ବାଦ ପଡିଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଡ଼ିଫେଣ୍ଡିଙ୍ଗ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୯ ଟି ମ୍ୟାଚରୁ ୬ ଟି ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଚଳିତ ସିଜିନ ଖରାପ ଯାଇଛି, ୯ ଟି ମ୍ୟାଚରୁ ୨ ଟି ବିଜୟ ସହ ପଏଣ୍ଟ ଟେବୁଲର ଦଶମ ସ୍ଥାନରେ ରହିଛି ଦଳ ।
ଲଗାତାର ଦ୍ଵିତୀୟ ସିଜିନ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ପ୍ରଦର୍ଶନ ନିରାଶାଜନକ ରହିଛି। ଏକ ଶକ୍ତିଶାଳୀ ଦଳ ଥାଇ ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୨୦୨୫ ଆଇପିଏଲରେ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ସିଜିନ ଶେଷ କରିଥିଲା, ଚଳିତ ବର୍ଷ ଅବସ୍ଥା ଆହୁରି ଶୋଚନୀୟ। ଦଳ ପାଖରେ ରିଷବ ପନ୍ତ, ନିକୋଲାସ ପୁରନ, ମିଚିଲ ମାର୍ଶଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଛନ୍ତି, ଗତ ମ୍ୟାଚରେ ଯଶ ଇଂଲିଶ ମଧ୍ୟ ଦଳକୁ ଫେରିଛନ୍ତି । କିନ୍ତୁ ଦଳର ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ଆସିନାହିଁ । ଲଗାତାର ଦ୍ୱିତୀୟ ସିଜିନ ପାଇଁ, ଲିଗରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ପ୍ରଦର୍ଶନ ନିରାଶାଜନକ ରହିଛି। ମହମ୍ମଦ ଶାମି, ପ୍ରିନ୍ସ ଯାଦବ ଚଳିତ ସିଜିନରେ ଭଲ ବୋଲିଂ କରିଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ସେଭଳି ପ୍ରଭାବ ପକାଇପାରିନାହାନ୍ତି ଓ ବିଶେଷ କରି ସ୍ପିନର ଚଳିତ ସିଜିନରେ ବିଫଳ ହୋଇଛନ୍ତି ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ରଦର୍ଶନ ଚଳିତ ସିଜିନରେ ଭଲ ରହିଛି । କିନ୍ତୁ ଗୁଜୁରାଟ ବିପକ୍ଷ ଶେଷ ମ୍ୟାଚରେ ବେଙ୍ଗାଲୁରୁକୁ ବ୍ୟାଟିଂ ବିପର୍ଯୟର ସାମ୍ନା କରିବାକୁ ପଡିଥିଲା । କୌଣସି ବି ଖେଳାଳି ଅର୍ଦ୍ଧଶତକ କରିବାରେ ସକ୍ଷମ ହୋଇନଥିଲେ, ଯାହାଫଳରେ ୧୫୫ ରନରେ ପହଞ୍ଚିଥିଲା ବେଙ୍ଗାଲୁରୁ । ଏହି ଟାର୍ଗେଟକୁ ପିଛା କରି ଗୁଜୁରାଟ ୧୫.୫ ଓଭରରେ ମ୍ୟାଚ ଜିତିଥିଲା । ତେଣୁ ଆଜିର ମ୍ୟାଚ ବେଙ୍ଗାଲୁରୁ ଜଗିରଖି ଖେଳିବାକୁ ଚେଷ୍ଟା କରିବ। ବେଙ୍ଗାଲୁରୁ ପାଖରେ ଆଉ ୫ ଟି ମ୍ୟାଚ ବାକି ରହିଛି, ୫ ଟି ମ୍ୟାଚରୁ ୩ ଟି ମ୍ୟାଚରେ ବିଜୟ ହାସଲ କଲେ ବେଙ୍ଗାଲୁରୁ ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କରିବ । କିନ୍ତୁ ବେଙ୍ଗାଲୁରୁ ଯେଉଁଭଳି ସ୍ଥିତିରେ ବର୍ତ୍ତମାନ ରହିଛି, ଏଠାରୁ ସେମାନେ ଚିନ୍ତା କରିବେ ପଏଣ୍ଟ ଟେବୁଲର ଶୀର୍ଷ ଦୁଇଟି ସ୍ଥାନରେ ରହିବା ପାଇଁ । ତେଣୁ ପ୍ରତ୍ୟେକ ମ୍ୟାଚ ବେଙ୍ଗାଲୁରୁ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ ।