ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ନିଜ ବିସ୍ଫୋରକ ବ୍ୟାଟିଂକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଖୁବଶୀଘ୍ର ତାଙ୍କୁ ଭାରତୀୟ ଟି-୨୦ ଦଳରେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଭାରତର ପୂର୍ବତନ କ୍ରିକେଟର ଚେତେଶ୍ୱର ପୁଜାରାଙ୍କ କହିବା ଅନୁଯାୟୀ ଯଦି ବୈଭବ ସୂର୍ଯ୍ୟବଂଶୀଙ୍କୁ ଠିକ ସୁଯୋଗ ମିଳେ ତେବେ ତାଙ୍କୁ ଟେଷ୍ଟ ଖେଳିବା ଦରକାର ।
ରାହୁଲ ଦ୍ରାବିଡ଼ଙ୍କ ପରେ ଟେଷ୍ଟରେ ଭାରତ ପାଇଁ କାନ୍ଥ ବୋଲି କୁହାଯାଉଥିବା ପୁଜାରା କହିଛନ୍ତି ଟେଷ୍ଟ ଖେଳିବାର ଇଚ୍ଛା ଭାରତର ସବୁ ଯୁବ ଖେଳାଳିଙ୍କ ଭିତରେ ରହିବା ଦରକାର । ସେ କହିଛନ୍ତି ବୈଭବ ଟେଷ୍ଟ କ୍ରିକେଟ ଖେଳନ୍ତୁ । ଚଳିତ ଆଇପିଏଲ ସିଜିନରେ ବୈଭବ ରାଜସ୍ଥାନ ପାଇଁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ୧୦ ଟି ଇନିଂସରେ ୪୦୪ ରନ ସଂଗ୍ରହ କରିଛନ୍ତି । ପୁଜାରା କହିଛନ୍ତି କି ବୈଭବ ଯେଉଁଭଳି ବ୍ୟାଟିଂ କରୁଛନ୍ତି ତାଙ୍କୁ ଖୁବ ଶୀଘ୍ର ଭାରତ ପାଇଁ ଖେଳିବାର ସୁଯୋଗ ମିଳିବ ।
ପୁଜାରା ଏକ ଇଣ୍ଟରଭିଉରେ କହିଛନ୍ତି, "ବୈଭବ ଏଭଳି ଜଣେ ବ୍ୟାଟ୍ସମ୍ୟାନ ଯିଏ ଟି-୨୦ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି, ଯାହାଫଳରେ ତାଙ୍କୁ ଖୁବ ଶୀଘ୍ର ଭାରତୀୟ ଦଳରେ ଖେଳିବାର ସୁଯୋଗ ମିଳିବ । ସେ ଟେଷ୍ଟ ଖେଳିବେ ନା ନାହିଁ ତାହା ସମୟ କହିବ । ଯଦି ତାଙ୍କ ପାଖରେ ପ୍ରତିଭା, ସୁଯୋଗ ଓ ସମୟ ଅଛି ଓ ଏହା ସହ ସେ ନିଜ ସ୍ୱାଭାବିକ ଖେଳ ଖେଳିବାକୁ ସକ୍ଷମ ହୁଅନ୍ତି ତେବେ ତାଙ୍କୁ ନିଶ୍ଚିତ ରୂପେ ଟେଷ୍ଟ କ୍ରିକେଟ ଖେଳିବା ଦରକାର । କାରଣ କ୍ରିକେଟରେ ଟେମ୍ପ୍ରମେଣ୍ଟ, ଯୋଗ୍ୟତା ଓ ସମ୍ମାନ, ଯାହାପାଇଁ ସମସ୍ତେ କ୍ରିକେଟ ଖେଳାଳି ତାହା ଟେଷ୍ଟ କ୍ରିକେଟରେ ମିଳିଥାଏ । ଏଥିପାଇଁ ଟେଷ୍ଟ କ୍ରିକେଟ ସବୁ ଯୁବ କ୍ରିକେଟଙ୍କ ମନରେ ରହିବା ଦରକାର।"