ଭୁବନେଶ୍ୱର: ବିଜୁ ଜନତା ଦଳରେ ଦଳୀୟ କନ୍ଦଳ ଆଉ କାହାକୁ ଅଛପା ନାହିଁ । ୬ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯିବା ପରେ କର୍ମୀଙ୍କ ବିରୋଧରେ ଆକ୍ରୋଶ ବୃଦ୍ଧି ପାଇଛି । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସରକାରୀ ବାସଭବନ ସମ୍ମୁଖରେ ନିଲମ୍ବିତ ବିଧାୟକମାନ ତୁମୁଳ କାଣ୍ଡ ଘଟାଇଛନ୍ତି । ବିଜେଡ଼ିରେ ପାଣ୍ଡିଆନଙ୍କ ରାଜୁତି ଚାଲିବ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ।
ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ଭୁବନେଶ୍ୱରରେ ଥିବା ପ୍ରତାପ ଜେନାଙ୍କ ସରକାରୀ ବାସଭବନ ସମ୍ମୁଖରେ ହଙ୍ଗାମା କରିଥିଲେ । ବାଣ ଫୁଟାଇ ପ୍ରତାପ ଏବଂ ପାଣ୍ଡିଆନଙ୍କୁ ତୀବ୍ର ବିରୋଧ କରିଥିଲେ । ଯେଉଁମାନଙ୍କୁ ବିଜୁ ବାବୁ ମଣିଷ କରିଥିଲେ ସେମାନେ ବିଧାୟକଙ୍କୁ ନିଲମ୍ବିତ କରି ଘରେ ଲୁଚି ବସିଛନ୍ତି । ସେମାନେ ବିଜୁ ବାବୁଙ୍କ ଦଳକୁ ଆଜି ବୁଡ଼ାଇ ଦେବାକୁ ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପାଣ୍ଡିଆନଙ୍କୁ ବିରୋଧ କରାଯିବ । ଏହି ସମୟରେ ତାଙ୍କ ସୁରକ୍ଷା କର୍ମୀଙ୍କ ସହିତ ମଧ୍ୟ ଯୁକ୍ତି ତର୍କ ହୋଇଥିଲା । ସେମାନେ ଦେବୀରଞ୍ଜନ ତ୍ରିପାଠୀଙ୍କ ସମର୍ଥକ ବୋଲି କୁହାଯାଉଛି ।
ସେପଟେ ପ୍ରତାପ ଜେନା ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଘରେ ନଥିବାବେଳେ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ୧୫ରୁ ୨୦ ଜଣ ଯୁବକ ଆସି ବାଣ ଫୁଟାଇ ହଙ୍ଗାମା କରିଥିଲେ । ସୁରକ୍ଷାକର୍ମୀ ଏବଂ ଘରେ ଜଣେ ପିଲାଙ୍କୁ ବାଡ଼େଇବା ସହିତ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଚମକ ଦେଇଥିଲେ । ଯାହା ଭିଡ଼ିଓରେ ନାହିଁ । ସେମାନଙ୍କ ମଧ୍ୟରୁ କିଛି ନିଲମ୍ବିତ ବିଧାୟକଙ୍କ ସମର୍ଥକ ଏବଂ ଆଉ କିଛି ବ୍ୟକ୍ତି ବିଜେପିର ବୋଲି ପ୍ରତାପ ଅଭିଯୋଗ କରିଛନ୍ତି । ଏ ନେଇ ସେ ପୋଲିସକୁ ଖବର ଦେବା ସହିତ ଥାନାରେ ଏତଲା ଦେଇଛନ୍ତି । ପୋଲିସ ରାତିରେ ପହଁଚି ଯାଞ୍ଚ କରିଛି । ପ୍ରତାପ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଓ ଡିସିପିଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛନ୍ତି ।
ଏହା ପରେ ସକାଳୁ ସକାଳୁ ପ୍ରତାଙ୍କ ଘର ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ସେଠାରେ ପୋଲିସ ନିୟୋଜିତ ହୋଇଛନ୍ତି ।
ଅନ୍ୟପକ୍ଷ ପ୍ରଶ୍ନ ଉଠିଛି ଯେ ପ୍ରତାପ ଜେନା ବିଧାୟକ ପଦରେ ନଥାଇ ସରକାରୀ କ୍ୱାର୍ଟରେ କିପରି ରହୁଛନ୍ତି । କାହିଁକି ସେ କ୍ୱାର୍ଟର ଖାଲି କରୁନାହାଁନ୍ତି ?