ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତିମଣତି ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୫ ତାରିଖ ବୁଧବାର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ହେବ । ମାହେନ୍ଦ୍ର ବେଳା ଚୈତ୍ର ଶୁକ୍ଳ ସପ୍ତମୀ ତିଥି ୧୨.୦୯ ରୁ ୧.୪୫ ଗଣତି ଆରମ୍ଭ ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।
ହାଇକୋର୍ଟ ଗଣତିମଣତି ଶେଷ ପାଇଁ ୩ ମାସ ସମୟ ଦେବାପରେ ରାଜ୍ୟ ସରକାରଙ୍କ ତରଫରୁ ତତ୍ପରତା ପ୍ରକାଶ ପାଇଛି। ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତିର ଭିଡ଼ିଓଗ୍ରାଫି, ଫଟୋଗ୍ରାଫି , ଥ୍ରୀଡି ମ୍ୟାପିଂ ହେବ । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତିମଣତି ହେବ । ସ୍ୱର୍ଣ୍ଣ ଅଳଙ୍କାର ହଳଦିଆ ରଙ୍ଗର ଭେଲଭେଟ କନାରେ ଗୁଡ଼ାଯାଇ ଟିଣ ବାକ୍ସ ଓ ପରେ ତାକୁ ସିନ୍ଧୁକରେ ରଖାଯିବ । ସେହିପରି ରୌପ୍ୟ ଅଳଙ୍କାର ଧଳା ବା ସିଲଭର ରଙ୍ଗ ଓ ଅନ୍ୟାନ୍ୟ ଅଳଙ୍କାର ଲାଲ ରଙ୍ଗ ଭେଲଭେଟ କନାରେ ଗୁଡ଼ାଯାଇ ରଖାଯିବ । କେବଳ ମେଳକ ,ଗଣତି କରାଯିବ । କୌଣସି ମୂଲ୍ୟାୟନ ହେବ ନାହିଁ । ଗଣତିମଣତି କେବେ ସଂପୂର୍ଣ୍ଣ ହେବ ତାହାର କୌଣସି ନିର୍ଦ୍ଧିଷ୍ଟ ତାରିଖ ଦିଆଯାଇ ନାହିଁ ।
ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପାଇଁ ସୁପରଭାଇଜିଂ ଟିମ୍ ଏବଂ ହ୍ୟାଣ୍ଡଲିଂ ଟିମ୍ ଏହିଭଳି ଦୁଇଟି ଟିମ୍ ଗଠିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁପରଭାଇଜିଂ ଟିମର ଅଧ୍ୟକ୍ଷ ରହିଥିବାବେଳେ ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ , ଜଣେ ସେବାୟତ ସଦସ୍ୟ ରହିଛନ୍ତି । ସେହିପରି ହ୍ୟାଣ୍ଡଲିଂ ଟିମରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ, ପାଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ , ତଢ଼ଉକରଣ,ଦେଉଳକରଣ,ଶ୍ରୀମନ୍ଦିର ବଣିଆ ସେବକ ,ଦୁଇ ଜଣ ସ୍ଵର୍ଣ୍ଣକାର,ଦୁଇ ଜଣ ଜେମୋଲୋଜିଷ୍ଟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ପ୍ରମୁଖ ସାମିଲ ରହିବେ ।
ବିଶେଷ ଦିନ,ପର୍ବ ପର୍ବାଣୀ ,ଶନିବାର ଓ ରବିବାର ଦିନ ଗଣତିମଣତି ହେବ ନାହିଁ। ୧୯୭୮ ମସିହାରେ ୭୨ ଦିନ ଗଣତି ମଣତି ହୋଇଥିବା ବେଳେ ବର୍ତ୍ତମାନ ଗଣତିମଣତି ସମୟରେ ଅଳଙ୍କାର ଓଜନ କରାଯିବ କିନ୍ତୁ ମୂଲ୍ୟାୟନ କରାଯିବନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ଭିତର ରତ୍ନଭଣ୍ଡାରର ଗଣତିମଣତି ଦିନ ଟ୍ରେଜେରୀରୁ ଚାବି ଆସିବ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲିବ ଏବଂ ବନ୍ଦ କରାଯିବ। ତେବେ ସମସ୍ତ ପ୍ରକ୍ରିୟାକୁ ସ୍ୱଚ୍ଛତାର ସହ କରାଯିବ ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଅନ୍ୟପଟେ ଭଣ୍ଡାର ମେକାପ ମଧ୍ୟ ସମସ୍ତ ସହଯୋଗ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।