ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ନିକଟ ଭବିଷ୍ୟତରେ ବନ୍ଦ ହେବାର ଆଶା ନାହିଁ । ଏହା ମଧ୍ୟରେ ଆମେରିକା ଇରାନ ବିରୋଧରେ ଏକ ବଡ ପଦକ୍ଷେପ ନେବାକୁ ପ୍ରସ୍ତୁତି କରୁଛି । ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଇରାନ ଉପରେ ଚାପ ପକାଇବା ପାଇଁ ଏହାର ଖର୍ଗ ଦ୍ୱୀପକୁ କବଜା କରିବା କିମ୍ବା ସମୁଦ୍ରରେ ଘେରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଏହି ଯୋଜନା ସ୍ୱରୂପ ଆମେରିକା ୨୫୦୦ ସୈନିକ ପଠାଇବାକୁ ନିଷ୍ପତ୍ତି ନେଇଛି । ଖର୍ଗ ଦ୍ୱୀପ ଇରାନ ଉପକୂଳରୁ ପ୍ରାୟ ୧୫ ମିଲ୍ ଦୂର । ଏଠାରୁ ଇରାନର ପ୍ରାୟ ୯୦ ପ୍ରତିଶତ ଅଶୋଧିତ ତୈଳ ବିଦେଶକୁ ରପ୍ତାନୀ କରାଯାଏ ।
ଆମେରିକାର କହିବା କଥା ଯଦି ଆଇଲାଣ୍ଡକୁ ନିଜ ନିୟନ୍ତ୍ରଣରେ ନିଆଯାଏ ତେବେ ଇରାନ ଉପରେ ଚାପ ପକାଯାଇପାରିବ । ଏହା ସହିତ ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବାକୁ ବିବଶ କରାଯାଇ ପାରିବ । ସଂପ୍ରତି ଇରାନ ଜର୍ମୁଜ ଜଳଡମରୁମଧ୍ୟ ଦେଇ ଯାଉଥିବା ଅନେକ ତୈଳ ଟ୍ୟାଙ୍କରକୁ ଅଟକାଇ ରଖିଛି । ଏହା ଦୁନିଆର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତୈଳ ମାର୍ଗ ମଧ୍ୟରୁ ଗୋଟିଏ । ଏହା ସହିତ ପ୍ରାୟ ପଞ୍ଚମ ଭାଗ ଗ୍ୟାସ ଏହି ପ୍ରଣାଳି ଦେଇ ଗତି କରିଥାଏ । ଏହି କାରଣରୁ ସମଗ୍ର ଦୁନିଆରେ ବର୍ତ୍ତମାନ ତେଲ ଓ ଗ୍ୟାସର ଦର ବଢିବାରେ ଲାଗିଛି ।
ସ୍ଥଳଭାଗରେ ଆକ୍ରମଣ କରିବାର ରହିଛି ବିକଳ୍ପ
ଆମେରିକା ଅଧିକାରୀଙ୍କ କହିବା କଥା ଟ୍ରମ୍ପ ପ୍ରତ୍ୟେକ ବିକଳ୍ପ ଖୋଲା ରଖିବାକୁ ଚାହାନ୍ତି । ଆବଶ୍ୟକ ପଡିଲେ ସ୍ଥଳଭାଗରେ ଇରାନ ଉପରେ ହମଲା କରାଯାଇପାରେ । କିନ୍ତୁ କିଛି ବିଶେଷଜ୍ଞଙ୍କ ମତରେ ଏହା ଆମେରିକା ପାଇଁ ବିପଦଜ୍ଜନକ ହୋଇପାରେ । ସେମାନଙ୍କ କହିବା କଥା ଖର୍ଗ ଦ୍ୱୀପ କବଜା କରିବା ପରେ ଏହା ମଧ୍ୟ ନିଶ୍ଚିତ ନୁହେଁ ଯେ, ଇରାନ ମୁଣ୍ଡ ନୁଆଁଇବ । କାରଣ ସେ ଅନ୍ୟ ମାର୍ଗରେ ତୈଳ ଯୋଗାଣ ଆହୁରି ବନ୍ଦ କରିପାରେ ।
ଆଉ ଏକ ବିକଳ୍ପ ହେଉଛି ଆମେରିକା ନିଜର ନୌସେନା ଓ ବିମାନକୁ ମୁତୟନ କରି ତୈଳ ଟ୍ୟାଙ୍କରକୁ ସୁରକ୍ଷା ଦେଉ । ଯଦ୍ୱାରା ବିନା ସ୍ଥଳଭାଗରେ କବଜା କରାଯାଇଥିବା ରାସ୍ତା ଖୋଲା ଯାଇ ପାରିବ । ଏମିତି ଯୁଦ୍ଧ ସ୍ଥିତିରେ ଟ୍ରମ୍ପଙ୍କୁ ନିଜର ଚୀନ ଯାତ୍ରା ସ୍ଥଗିତ ରଖିବାକୁ ପଡିଛି । ଆମେରିକା ମଧ୍ୟ ଇରାନ ସହ ଲଢେଇରେ ପଛକୁ ହଟିବା ମୁଡରେ ନାହିଁ ।