ଦୁବାଇ: ସମୁଦ୍ର ମଝିରେ ଭାରତୀୟ ଜାହାଜକୁ ସାହାଯ୍ୟର ହାତ ବଢ଼ାଇଛି ଇରାନ। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଇରାନର ନୌସେନା ସମୁଦ୍ରର ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ 'ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍' ମାର୍ଗ ଦେଇ ଗତି କରୁଥିବା ଏକ ଭାରତୀୟ ତରଳ ପ୍ରାକୃତିକ ଗ୍ୟାସ (LNG) ଟ୍ୟାଙ୍କରକୁ ସୁରକ୍ଷିତ ଭାବେ ବାଟ ଦେଖାଇବା ସହ ସହାୟତା ପ୍ରଦାନ କରିଛି।
ରିପୋର୍ଟ ଅନୁଯାୟୀ, ଭାରତୀୟ LNG ଟ୍ୟାଙ୍କରଟି ଯୁଦ୍ଧର ଘମାଘୋଟ ମଧ୍ୟରେ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ଅତିକ୍ରମ କରୁଥିଲା। ଇରାନୀ ନୌସେନାର ଜାହାଜଗୁଡ଼ିକ ଭାରତୀୟ ଟ୍ୟାଙ୍କର ସହ ଯୋଗାଯୋଗ କରିଥିଲେ ଏବଂ ତାକୁ ସୁରକ୍ଷିତ ମାର୍ଗ ଦେଇ ଗତି କରିବାରେ ମାର୍ଗଦର୍ଶନ କରିଥିଲେ। ସମୁଦ୍ରର ଏହି ରାସ୍ତା ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତୈଳ ଏବଂ ଗ୍ୟାସ୍ ପରିବହନ ମାର୍ଗ ଭାବେ ଜଣାଶୁଣା।
କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ?
ପଶ୍ଚିମ ଏସିଆରେ ବର୍ତ୍ତମାନ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ସଂଘର୍ଷ ଯୋଗୁଁ ଏହି ସାମୁଦ୍ରିକ ମାର୍ଗରେ ବିପଦ ବଢ଼ିଯାଇଛି। ଏପରି ପରିସ୍ଥିତିରେ ଇରାନ ନୌସେନା ପକ୍ଷରୁ ଭାରତୀୟ ଜାହାଜକୁ ସାହାଯ୍ୟ କରିବା ଦୁଇ ଦେଶ ମଧ୍ୟରେ ଥିବା ସୁସମ୍ପର୍କକୁ ଦର୍ଶାଉଛି। ଭାରତ ନିଜର ଶକ୍ତି ଆବଶ୍ୟକତା ପାଇଁ ଏହି ମାର୍ଗ ଉପରେ ବହୁ ପରିମାଣରେ ନିର୍ଭର କରିଥାଏ।
ବ୍ଲୁମବର୍ଗ ରିପୋର୍ଟର ତଥ୍ୟ
ରିପୋର୍ଟରେ କୁହାଯାଇଛି ଯେ, ଇରାନୀ କର୍ତ୍ତୃପକ୍ଷ ଭାରତୀୟ ଜାହାଜକୁ କେବଳ ମାର୍ଗଦର୍ଶନ କରିନାହାଁନ୍ତି, ବରଂ କୌଣସି ଅପ୍ରୀତିକର ପରିସ୍ଥିତିରୁ ରକ୍ଷା କରିବା ପାଇଁ ସଜାଗ ମଧ୍ୟ ରହିଥିଲେ। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ସାରା ବିଶ୍ୱର ନଜର ଲାଲ୍ ସାଗର ଏବଂ ହୋର୍ମୁଜ୍ ଉପରେ ରହିଛି।
ବ୍ଲୁମବର୍ଗ ଅନୁସାରେ ଭାରତୀୟ ଟ୍ୟାଙ୍କର ଏହି ପଥ ଦେଇ ଯିବା ସମୟରେ ଇରାନୀ ନୌସେନା ସହିତ ଯୋଗାଯୋଗରେ ଥିଲା। ଇରାନୀ ନୌସେନା ,ଜାହଜରେ ଲାଗିଥିବା ପତାକା ଓ ସେଥିରେ ଥିବା ଚାଳକ ଦଳ ସଦସ୍ୟଙ୍କ ବାବଦରେ ପଚାରିଥିଲା। ଭାରତୀୟ ଚାଳକ ଦଳ ସଦସ୍ୟ ଓ ଭାରତୀୟ ଜାହଜ ବୋଲି ଇରାନୀ ନୌସେନା ନିଶ୍ଚିତ ହେବା ପରେ ସେମାନେ ଏହାକୁ ଯିବାକୁ ଅନୁମତି ଦେଇଥିଲେ। କେବଳ ଅନୁମତି ଦେଇନଥିଲେ,ଅଧିକନ୍ତୁ କେଉଁ ବାଟ ଦେଇ ଗଲେ ସୁରକ୍ଷିତ ରହିବେ ତାହା ମଧ୍ୟ କହିଥିଲେ। ଏହା ସହିତ ସେମାନେ ଭାରତୀୟ ଟ୍ୟାଙ୍କରକୁ ଲାଇଟ୍ ଓ ଜିପିଏସ୍ ଅଫ୍ କରି ଯିବାକୁ ପରାମର୍ଶ ଦେଇଥିଲେ।
ଭାରତ ପକ୍ଷରୁ ଏହି ଘଟଣା ଉପରେ କୌଣସି ଆଧିକାରିକ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ ଏହା ଭାରତର ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଛି।
ଇରାନୀ ନୌସେନା ବର୍ତ୍ତମାନ ଏହି ପଥରେ ଏଟିସି ଭଳି କାମ କରୁଛି। ଏହା କେବଳ ସେହି ଦେଶର ଜାହଜଙ୍କୁ ହାର୍ମୁଜ୍ ଦେଇ ଯିବାକୁ ଅନୁମତି ଦେଉଛି,ଯାହା ସହିତ ତାହାର ଭଲ ସମ୍ବନ୍ଧ ରହିଛି।