ନୂଆଦିଲ୍ଲୀ: ଯେବେ ବି ଆଇପିଏଲ୍ ସିଜିନ୍ ଆସେ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠେ କଣ ଏହା ମହେନ୍ଦ୍ର ସିଂ ଧୋନିଙ୍କ ଶେଷ ସିଜିନ । କଣ ସେ ଆଇିଏଲରୁ ଅବସର ନେବେ ? ଗତ କିଛି ବର୍ଷରେ ପ୍ରତିଟି କ୍ରିକେଟ୍ ପ୍ରେମୀଙ୍କ ମନରେ ଏହି ପ୍ରଶ୍ନ ରହି ଆସିଛି । ହେଲେ ଆଇପିଏଲ୍ ୨୦୨୬ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ମହାମିଳନ କାର୍ଯ୍ୟକ୍ରମରେ ଏହି ପ୍ରଶ୍ନର ଜବାବ ସିଧାସଳଖ ଏମଏସ ଧୋନିଙ୍କୁ ପଚରା ଯାଇଛି । ଧୋନୀ ସ୍ମିତହାସ୍ୟ ଦେଇ ଏହାର ଉତ୍ତର ମଧ୍ୟ ରଖିଛନ୍ତି ।
ଧୋନିଙ୍କ ବୟସ ୪୪ ବର୍ଷ । ତାଙ୍କର ଆଇପିଏଲ୍ ଖେଳିବା ଏହା ଉପରେ ନିର୍ଭର କରେ ଯେ ତାଙ୍କ ଫିଟନେସ୍ ଆଗକୁ କେମିତି ରହୁଛି । ଧୋନି ନିଜର ସେହି ଫିଟନେସ୍ ଉଲ୍ଲେଖ କରି ସନ୍ନ୍ୟାସ ପ୍ରଶ୍ନର ଉତ୍ତର ଦେଇଛନ୍ତି ।
କାର୍ଯ୍ୟକ୍ରମ ସମୟରେ ଧୋନି ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଫିଟନେସର ସ୍ତର କେବେ ଉପରକୁ ଯାଉଛି ତ କେବେ ତଳକୁ ଖସୁଛି । ଏମିତିରେ ମୁସ୍କିଲ ହେଉଛି । ତଥାପି ଖେଳିବାର ଉଦ୍ୟମ ଲଗାତାର ଜାରି ରହିଛି । ସେ ନିଜ ପକ୍ଷରୁ ଦଳକୁ ନିଜର ସର୍ବଶ୍ରେଷ୍ଠ ଦେବାକୁ ଚେଷ୍ଟା କରୁଛନ୍ତି । ସବୁ କିଛି ତାଙ୍କର ଫିଟନେସ୍ ଉପରେ ନିର୍ଭର କରେ ।
ଧୋନି ସିଧାସଳଖ ପ୍ରଶ୍ନର ଉତ୍ତର ଦେଇ ନ ଥିଲେ ବି ଏହି ସଙ୍କେତ ଦେଇଛନ୍ତି ଯେ, ଏବେ ତାଙ୍କୁ ଆଇପିଏଲରୁ ସନ୍ନ୍ୟାସ ନେବାର ସମୟ ନିକଟତର ହୋଇ ଗଲାଣି । ସବୁ କିଛି ତାଙ୍କର ଫିଟନେସ୍ ଉପରେ ନିର୍ଭର କରେ । ତେବେ ଅବସର ନେବାର ସେହି ସମୟ କେବେ ଆସିବ, ସେ ବିଷୟରେ ଧୋନି କିଛି କହି ନାହାନ୍ତି । ତେଣୁ କୁହାଯାଇ ପାରିବ ନାହିଁ ଯେ, ଧୋନିଙ୍କ ଏହା ଶେଷ ଆଇପିଏଲ୍ ସିଜିନ ହେବ ।