ନୂଆଦିଲ୍ଲୀ: ପ୍ରତିଥର ପରି ଏଥର ମଧ୍ୟ କିଛି ଖେଳାଳି ପାକିସ୍ତାନ ସୁପର ଲିଗ୍ ଛାଡି ଇଣ୍ଡିଆନ ପ୍ରିମିୟର ଲିଗ୍ ଆଡେ ମୁହାଁଇଛନ୍ତି । ଏହି ତାଲିକାରେ ଶ୍ରୀଲଙ୍କାର ଖେଳାଳି ଦାସୁନ ଶନାକାଙ୍କ ନାଁ ଯୋଡି ହେବାକୁ ଯାଉଛି । ଦାସୁନ ପିଏସଏଲ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଶ୍ରୀଲଙ୍କା ଦଳର ଅଲରାଉଣ୍ଡର ତଥା ଟି-୨୦ ବିଶ୍ୱକପ ୨୦୨୬ରେ ଦଳର ଅଧିନାୟକତ୍ୱ କରିଥିବା ଦାସୁନ ଶନାକା ପାକିସ୍ତାନ ସୁପର ଲିଗରୁ ନିଜର ନାଁ ପ୍ରତ୍ୟାହାର କରି ନେଇଛନ୍ତି । ଏହା ପଛର କାରଣ ଆଇପିଏଲରେ ଅନେକ ଖେଳାଳି ଆହତ କାରଣରୁ ଚଳିତ ସିଜିନରୁ ବାଦ୍ ପଡିଛନ୍ତି । ଆଉ ତା ବଦଳରେ ଶନାକାଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଦାସୁନ ଶନାକା ବ୍ୟକ୍ତିଗତ କାରଣ ଦର୍ଶାଇ ପିଏସଏଲ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ତାଙ୍କୁ ସେହି ଅର୍ଥରାଶି ମିଳି ପାରିବ ନାହିଁ ଯାହା ତାଙ୍କୁ ଆଇପିଏଲରୁ ମିଳିବ । କିନ୍ତୁ ଶନାକାଙ୍କୁ ନେଇ ଏ ପର୍ଯ୍ୟନ୍ତ ଆଇପିଏଲରୁ କୌଣସି ଆନୁଷ୍ଠାନିକ ସୂଚନା ଆସିନାହିଁ । କିନ୍ତୁ ଶ୍ରୀଲଙ୍କାର ନ୍ୟୁଜ ଚ୍ୟାନେଲ ଅନୁଯାୟୀ, ଶନାକା ଆହତ ଖେଳାଳିଙ୍କ ସ୍ଥାନ ନେବା ପାଇଁ ଆଇପିଏଲ ଫ୍ରାଞ୍ଚାଇଜଙ୍କ ଯୋଗାଯୋଗରେ ଅଛନ୍ତି ।
ରାଜସ୍ଥାନ ରୟାଲ୍ସ ଚିନ୍ତିତ ଯେ, ଇଂଲଣ୍ଡର ତାରକା ଅଲରାଉଣ୍ଡର ସାମ କରନ ଆହତ କାରଣରୁ ଏଥର ସିଜିନ ଖେଳି ପାରିବେ କି ନାହିଁ ? ଶନାକା ଜଣେ ଦ୍ରୁତ ବୋଲର ଅଲରାଉଣ୍ଡର । ତାଙ୍କ ପାଖରେ ସେହି ଦକ୍ଷତା ଅଛି ଯାହା ସାମ କରନଙ୍କ ପାଖରେ ଅଛି । ଏହି କାରଣରୁ ଶନାକାଙ୍କୁ ଏକ ରିପ୍ଲେସମେଣ୍ଟ ଖେଳାଳି ଭାବେ ଦେଖା ଯାଉଛି । ଆଉ କିଛି ଫ୍ରାଞ୍ଚାଇଜ ମଧ୍ୟ ଏହି ପରି ଖେଳାଳିଙ୍କ ସନ୍ଧାନରେ ଅଛନ୍ତି ।
ପିଏସଏଲର ଚଳିତ ସିଜିନରୁ ମୁହଁ ଫେରାଇ ବ୍ଲେସିଙ୍ଗ ମୁଜରବାନି ଆଇପିଏଲ୍ ଖେଳିବା ପାଇଁ ଭାରତ ପହଞ୍ଚି ସାରିଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ଦଳରେ ସାମିଲ୍ କରି ସାରିଛି । ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କ ବଦଳ ଖେଳାଳି ଭାବେ ମୁଜରବାନିଙ୍କୁ ଦଳରେ ନେଇଛି କେକେଆର । ଦାସୁନ ଶନାକା ମଧ୍ୟ ଏହି ତାଲିକାରେ ଯୋଡି ହେବାକୁ ଯାଉଛନ୍ତି ।
Also read: IPL ୨୦୨୬ ଆରମ୍ଭ ହେବା ପୂର୍ବରୁ ୭ ଖେଳାଳି ବାହାର, ୪ ଅଷ୍ଟ୍ରେଲିଆ ଓ ଜଣେ ଭାରତୀୟ ସାମିଲ୍