ଭୁବନେଶ୍ୱର: ଆଉ ମାତ୍ର ୪ ଦିନର ଅପେକ୍ଷା। ଆସନ୍ତା ୨୬ ତାରିଖରେ ମହାଧୁମଧାମରେ ପାଳିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା। ଏଥିପାଇଁ ଏବେ ରଥଖଳାରେ ଚାଲିଛି ଜୋରଦାର ପ୍ରସ୍ତୁତି।
ଯୁଦ୍ଧକାଳୀନ ଭିତ୍ତିରେ ହେଉଛି ରଥ ନିର୍ମାଣ
୪୫ ଫୁଟ ଉଚ୍ଚ ଓ ୨୭ ଫୁଟ ଓସାର ବିଶିଷ୍ଟ ଭବ୍ୟ ରଥ ତିଆରିରେ ବ୍ୟସ୍ତ ଅଛନ୍ତି ୬୧ ଜଣ କାରିଗର। ହାତରେ ମାତ୍ର ୨ ଦିନ ସମୟ ଥିବାରୁ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।୨୫ ତାରିଖ ସନ୍ଧ୍ୟା (ନେତ୍ରୋତ୍ସବ ପୂର୍ବରୁ) ସମସ୍ତ କାମ ସରିବ। ବୁଧବାରେ ମନ୍ଦିର ପ୍ରଶାସନକୁ ରଥ ହସ୍ତାନ୍ତର କରାଯିବ ଏବଂ ସେହି ରାତିରେ ହେବ ରଥ ପ୍ରତିଷ୍ଠା ନୀତି।
କାହିଁକି ବିଶେଷ ‘ରୁକୁଣା’ ରଥ?
ଏହି ରଥକୁ କୁହାଯାଏ ‘ଅଣଲେଉଟା ରଥ’ ଅର୍ଥାତ୍ ଏହା ପଛକୁ ଫେରେ ନାହିଁ। ପ୍ରଭୁ ଲିଙ୍ଗରାଜ ଏହି ରଥରେ ଚଢ଼ି ମାଉସୀ ମା’ ଘର (ରାମେଶ୍ୱର ମନ୍ଦିର)କୁ ଯାତ୍ରା କରନ୍ତି।
ପୌରାଣିକ କଥାରେ ରହିଛି ଗଭୀର ମହତ୍ତ୍ୱ
କିମ୍ବଦନ୍ତୀ ଅନୁସାରେ, ପ୍ରଭୁ ଶ୍ରୀରାମ ରାବଣ ବଧ ପରେ ବ୍ରହ୍ମହତ୍ୟା ଦୋଷ ମୁକ୍ତି ପାଇଁ ଏକାମ୍ର କ୍ଷେତ୍ରକୁ ଆସି ଲିଙ୍ଗରାଜଙ୍କ ପୂଜା କରିଥିଲେ। ପରେ ବର ମାଗିଥିବାରୁ ଲିଙ୍ଗରାଜ ଏହି ଦିନ ଯାତ୍ରା କରନ୍ତି ବୋଲି ମନ୍ୟତା ରହିଛି। ଲୋକକଥାନୁସାରେ ମା’ ଭୁବନେଶ୍ୱରୀ ମଧ୍ୟ ଏହି ଯାତ୍ରାରେ ସହଭାଗୀ ହୋଇଥାନ୍ତି।
ଏଥର ରଥରେ ନୂଆ ଆକର୍ଷଣ
ଏବେର ରୁକୁଣା ରଥ ଦେଖିବାକୁ ହେବ ଅଧିକ ଆକର୍ଷଣୀୟ—
- ନୂଆ ଘୋଡ଼ା ଓ ପାର୍ଶ୍ୱ ଦେବଦେବୀ
- ନୂଆ ଶୁକ (ପକ୍ଷୀ) ଶିଳ୍ପ
- ନୂଆ ଦଧିନଉତି
ଏବେ ଦିନ ଯେତେ ଯେତେ ନିକଟ ଆସୁଛି, ରୁକୁଣା ରଥଯାତ୍ରା ପାଇଁ ଭକ୍ତମାନଙ୍କ ମନରେ ସେତେ ଉତ୍ସାହ ବଢୁଛି। ଏଥର ରୁକୁଣା ରଥଯାତ୍ରା ହେବ ଅଧିକ ଭବ୍ୟ ଯାହାକୁ ଦେଖିବାକୁ ଭକ୍ତମାନେ ଏବେଠାରୁ ଅପେକ୍ଷାରେ ରହିଛନ୍ତି।