ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବସ୍ତା ରାଜନୀତିରେ ଜୋରଦାର ହଲଚଲ ଦେଖିବାକୁ ମିଳିଛି। ଗୋଟେ ପଟେ ଦଳୀୟ ଶାସନାତ୍ମକ କାର୍ଯ୍ୟାନୁଷ୍ଠାନ, ଅନ୍ୟ ପଟେ ଅସନ୍ତୋଷର ବିସ୍ଫୋରଣ। ବିଧାୟିକା ସୁବାସିନୀ ଜେନାଙ୍କୁ ଦଳରୁ ନିଲମ୍ବନ କରାଯାଇବା ପରେ ବସ୍ତାରେ ଭୁସୁଡୁଛି ବିଜେଡି ଗଡ଼। ସୁବାସିନୀ ଜେନାଙ୍କୁ ସସପେଣ୍ଡ ପରେ ଦଳ ଛାଡ଼ିଲେ ତୃଣମୂଳ ନେତା। ତିନି ତିନି ଥରର ବ୍ଲକ ସଭାପତି ଅନୀଲ କୁମାର ମହାନ୍ତିଙ୍କ ଇସ୍ତଫା। ସୁବାସିନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗତକାଲି ଦଳ ଛାଡ଼ିଥିଲେ ଅନୀଲ ମହାନ୍ତି। ୧୯୮୫ରୁ ଅନିଲ ମହାନ୍ତି ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିଆସୁଥିଲେ । ତିନି ତିନି ଥର ବ୍ଲକ ସଭାପତି ଦାୟିତ୍ୱରେ ରହିଥିଲେ।
ସେହିପରି ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ମଧ୍ୟ ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା, ଛାତ୍ର ସଭାପତି ସୁଶାନ୍ତ ବେହେରା ଦେଇଛନ୍ତି ଇସ୍ତଫା। ଉଭୟେ ସେମାନଙ୍କର ପଦବୀ ସହିତ ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସୁବାସିନୀ ଜେନାଙ୍କ ନିଲମ୍ବନକୁ ବିରୋଧ କରି ସେମାନଙ୍କ ଏହି ନିଷ୍ପତ୍ତି ନେଇ ଦଳ ଛାଡ଼ିଛନ୍ତି।
ଗତକାଲି (ଶନିବାର) ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ୬ ଜଣ ବିଜେଡ଼ି ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଚିଠି ମାଧ୍ୟମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ନିଲମ୍ବନ କରିଛନ୍ତି। ଦଳରୁ ନିଲମ୍ବିତ ହୋଇଥିବା ୬ ଜଣ ବିଜେଡ଼ି ବିଧାୟକ ହେଲେ ବିଧାୟକ ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁଭାଷିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀ। ଦଳବିରୋଧୀ କାର୍ଯ୍ୟକଳାପ ଓ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କାରଣରୁ ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।
ରାଜନୈତିକ ପରିଣାମ କଣ?
ନିଲମ୍ବନକୁ ବିରୋଧ କରି ବିଜେଡିର ଜଣକ ପରେ ଜଣେ ନେତା ଏବେ ଇସ୍ତଫା ଦେଉଛନ୍ତି। ଏହି ଘଟଣା ବସ୍ତା ଓ ବାଲିଆପାଳ ଅଞ୍ଚଳରେ ଏହି ଘଟଣା ବିଜେଡିର ତୃଣମୂଳ ସ୍ତରର ସଂଗଠନକୁ ଦୁର୍ବଳ କରିପାରେ। ପୁରୁଣା ଓ ଯୁବ ନେତାମାନଙ୍କର ଇସ୍ତଫା ଆଗାମୀ ନିର୍ବାଚନ ପୂର୍ବରୁ ଦଳ ପାଇଁ ଚିନ୍ତାର କାରଣ ହେବା ସ୍ୱାଭାବିକ।