ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ରାଜନୀତି ଇତିହାସରେ ଏକ ଅଦ୍ଭୁତପୂର୍ବ ଉପଲବ୍ଧି ହାସଲ କରିଛନ୍ତି । ସେ ଭାରତରେ ସରକାରର ପ୍ରମୁଖ ଭାବେ ସବୁଠୁ ଅଧିକ ସମୟ ପର୍ଯ୍ୟନ୍ତ ସେବା କରିଥିବା ରାଜନେତା ପାଲଟିଛନ୍ତି । ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବେ ୮ ହଜାର ୯୩୧ ଦିନ କାର୍ଯ୍ୟ କଲେଣି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାକୁ ଐତିହାସିକ ଉପଲବ୍ଧି ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲି୮୍ଗଙ୍କ ୮୯୩୦ ଦିନର କାର୍ଯ୍ୟକାଳର ରେକର୍ଡକୁ ପଛରେ ପକାଇଛନ୍ତି । ସରକାରଙ୍କ ପ୍ରମୁଖ ଭାବେ ସାର୍ବଜନୀନ କାର୍ଯ୍ୟକାଳରେ ୮,୯୩୧ ଦିନ ପୂରା କରି ପିଏମ ମୋଦୀ ଏକ ନୂଆ ଉପଲବ୍ଧି ହାସଲ କରିଛନ୍ତି । ରାଜନାଥ ସିଂ ଏହାକୁ ଦେଶ ପ୍ରତି ତାଙ୍କର ଅତୁଟ ସମର୍ପଣ ଓ ରାଷ୍ଟ୍ର ପ୍ରଥମ ନୀତିର ପରିଣାମ ଦର୍ଶାଇଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ନିଜ ସନ୍ଦେଶରେ ପ୍ରଧାନମନ୍ତ୍ରୀଙ୍କ ଏ ପର୍ଯ୍ୟନ୍ତ ଯାତ୍ରାକୁ ରେଖାଙ୍କିତ କରି କହିଛନ୍ତି ଯେ, ପିଏମ ମୋଦୀଙ୍କ ଜୀବନ ଦେଶ ଓ ତାଙ୍କର ଲୋକଙ୍କ ପ୍ରତି ପୂର୍ଣ୍ଣ ଭକ୍ତିର ଉଦାହରଣ । ତାଙ୍କ କାର୍ଯ୍ୟକାଳର ଆରମ୍ଭ ଗୁଜରାଟର ମୁଖ୍ୟମନ୍ତ୍ରୀ ରୂପେ ହୋଇଥିଲା । ସେଠାରେ ସେ ବିକାଶର ନୂଆ ମାନକ ସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀଠୁ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ନିରନ୍ତର ସେବା ଓ ଜନକଲ୍ୟାଣ ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି ।