ଶନିବାର ଦିନ ସଞ୍ଜୟ ରାଉତ କହିଛନ୍ତି ଯେ, ତାଙ୍କ ବହିର ଇଂରାଜୀ ସଂସ୍କରଣରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ଦେବା ଘଟଣାକ୍ରମ ଉପରେ ଆଧାରିତ ଏକ ଅଧ୍ୟାୟ ମଧ୍ୟ ସାମିଲ ଅଛି ।
ଦେଶର ରାଜନୀତିରେ ଏକ ଇସ୍ତଫା କାହାଣୀ ନୂଆ ଭୂକମ୍ପ ଆଣିପାରେ । ମହାରାଷ୍ଟ୍ରର ଶିବସେନା ନେତା ସଞ୍ଜୟ ରାଉତ ଶନିବାର କହିଛନ୍ତି ଯେ, ଜେଲରେ ଥିବା ସମୟର ଅନୁଭୂତି ଉପରେ ଆଧାରିତ ତାଙ୍କ ପୁସ୍ତକର ଇଂରାଜୀ ସଂସ୍କରଣରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଆକସ୍ମିକ ଇସ୍ତଫା ପ୍ରସଙ୍ଗରେ ଏକ ଅଧ୍ୟାୟ ରହିଛି । ସଞ୍ଜୟ ରାଉତଙ୍କ ଏହି ବୟାନ ପରେ ଚର୍ଚ୍ଚା ଜୋର ଧରିଛି ।
ସୂଚନାଯୋଗ୍ୟ ଯେ, ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ଧନଖଡ଼ ଜୁଲାଇ ୨୦୨୫ରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ତାଙ୍କର ଏହି ପଦକ୍ଷେପ ସାରା ଦେଶକୁ ଚକିତ କରିଦେଇଥିଲା । ସେତେବେଳେ ମଧ୍ୟ ଅନେକ ପ୍ରକାରର ଅନୁମାନ କରାଯାଉଥିଲା । ଏବେ ନିଜେ ଧନଖଡ଼ କହିଛନ୍ତି ଯେ ସେ ସ୍ୱାସ୍ଥ୍ୟଗତ କାରଣ ପାଇଁ ଇସ୍ତଫା ଦେଇନଥିଲେ । ତେଣୁ ବର୍ତ୍ତମାନ ସଞ୍ଜୟ ରାଉତଙ୍କ ବୟାନ ଏକ ନୂଆ ଆଲୋଡ଼ନ ସୃଷ୍ଟି କରିଛି ।
ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା ଇଡି
୨୦୨୨ ମସିହାରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଉତଙ୍କୁ ଗିରଫ କରିଥିଲା । ଶିବସେନା ନେତା ଜାମିନରେ ମୁକୁଳିବା ପରେ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ନିଜର ଅନୁଭୂତିକୁ ନେଇ ମରାଠୀ ଭାଷାରେ ‘ନର୍କତଲା ସ୍ୱର୍ଗ’ ନାମକ ଏକ ବହି ଲେଖିଥିଲେ, ଯାହା ଗତ ବର୍ଷ ପ୍ରକାଶିତ ହୋଇଥିଲା ।
ରାଉତ ବିସ୍ତୃତ ସୂଚନା ନଦେଇ ‘ପିଟିଆଇ-ଭାଷା’କୁ କହିଛନ୍ତି, “ସଂଶୋଧିତ (ଇଂରାଜୀ) ସଂସ୍କରଣରେ ଧନଖଡ଼ଙ୍କ ଉପରେ ଏକ ଅଧ୍ୟାୟ ଅଛି । କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଗିରଫ ହୋଇଥିବା ଲୋକଙ୍କର ଆହୁରି ୫-୬ଟି ଉଦାହରଣ ମଧ୍ୟ ରହିଛି ।”
୨୩ ମାର୍ଚ୍ଚରେ ହେବ ପୁସ୍ତକ ଉନ୍ମୋଚନ
ଶିବସେନା ନେତାଙ୍କ ପୁସ୍ତକର ଇଂରାଜୀ ସଂସ୍କରଣ ‘ଅନଲାଇକ୍ଲି ପାରାଡାଇଜ୍’ (Unlikely Paradise) ମାର୍ଚ୍ଚ ୨୩ ରେ ନୂଆଦିଲ୍ଲୀରେ ଉନ୍ମୋଚିତ ହେବ । ରାଜ୍ୟସଭା ସଦସ୍ୟ କପିଲ ସିବଲ, ସଞ୍ଜୟ ସିଂହ, ଡେରେକ୍ ଓ’ବ୍ରାଏନ୍ ଏବଂ ଜୟା ବଚ୍ଚନ ଏହି ପୁସ୍ତକକୁ ଉନ୍ମୋଚନ କରିବେ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେବେ । ସଞ୍ଜୟ ରାଉତଙ୍କ ଦାବି ଉପରେ ଏପର୍ଯ୍ୟନ୍ତ ବିଜେପି କିମ୍ବା ସେମାନଙ୍କ ସହଯୋଗୀ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।