ଭୁୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହେବା ପରେ ଆଜି ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ । ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ସହ୍ୟ କରି ପାରିବି ନାହିଁ । ଯଦି ଏଥିପାଇଁ ମୋତେ ଗୁଳି ଖାଇବାକୁ ପଡେ ତା ହେଲେ ସାମ୍ନା କରିବି । କେବଳ ବାପାଙ୍କ ପାଇଁ ମୋତେ ବିଧାନସଭା ଯିବାର ସୁଯୋଗ ମିଳିଛି ।
ସେ ଏହା ମଧ୍ୟ କହିଛନ୍ତି ଯେ, ମୋତେ ନିଲମ୍ବନ ନୁହେଁ ଦଳରୁ ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି । ବାପାଙ୍କୁ ବହିଷ୍କାରର ୫ ଦିନ ପରେ ମୋତେ ନବୀନ ନିବାସରୁ ଡାକରା ଆସିଥିଲା । ଭାବିଥିଲି ମୋତେ ବାପାଙ୍କ ବାବଦରେ ଡାକି କିଛି କହିବେ । କିନ୍ତୁ ମୋତେ ନିର୍ମାଲ୍ୟ ଛୁଆଁଇ ସଂତୃପ୍ତ ମିଶ୍ରଙ୍କୁ ଭୋଟ୍ ଦେବାକୁ କହିଲେ । ମୁଁ ସିଧା ମନା କରିଥିଲି । ଏହି ନିଷ୍ପତ୍ତି ମୁଁ ନେଇ ପାରିବିନି, ବାପା ନେବେ ବୋଲି କହିଥିଲି । ଆଉ ନିର୍ବାଚନରେ ନିଜର ବିବେକ ଅନୁଯାୟୀ ଭୋଟ୍ ଦେଇଛି ।
ଏହା ପୂର୍ବରୁ ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ଭୋଟିଂ ପରେ ସୌଭିକ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରତି ଜୋରଦାର ବର୍ଷିଥିଲେ । ବାପାଙ୍କ ଅପମାନର ପ୍ରତିଶୋଧ ନେଇଥିବା କହିଥିଲେ । ଦଳ ପାଇଁ ସବୁ କିଛି ଦେଇଥିବା ବାପା ପ୍ରଭାତ ବିଶ୍ୱାଳଙ୍କୁ ଯେଉଁଭଳି ଭାବେ ଦଳ ଅପମାନ କଲା ତାହା ମୋ ପାଇଁ ଅସହ୍ୟ ଥିଲା । ଆଜି ଯଦି ମୁଁ ଏ ଯାଏଁ ପହଞ୍ଚିଛି କେବଳ ବାପାଙ୍କ ପାଇଁ ପହଞ୍ଚିଛି । କ୍ରସ ଭୋଟିଂ କରି ସେ ବାପାଙ୍କ ଅପମାନ ଠିକ୍ ଜବାବ ଦେଇଥିବା କହିଥିଲେ ।
ରାଜ୍ୟସଭା ନିର୍ବାଚନରେ ସୌଭିକ ବିଶ୍ୱାଳଙ୍କ ସହିତ ଅନ୍ୟ ୧୦ ବିଧାୟକ ଦଳୀୟ ହ୍ୱିପକୁ ଅବମାନନା କରି କ୍ରସ ଭୋଟିଂ କରି ଦିଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ଆଉ ଚତୁର୍ଥ ଆସନରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ବିଜୟୀ ହୋଇଥିଲେ । ଦିଲୀପ ରାୟଙ୍କୁ ଭୋଟ୍ ଦେଇ ସେ ଠିକ୍ ନିଷ୍ପତ୍ତି ନେଇଥିବା ସୌଭିକ ବିଶ୍ୱାଳ କହିଥିଲେ । ଅନ୍ୟପଟେ କ୍ରସ ଭୋଟିଂ କରିଥିବା ବିଜେଡିର ୬ ବିଧାୟକଙ୍କୁ ଗତକାଲି ଦଳରୁ ନିଲମ୍ବନ କରାଯାଇଛି ।
Also read: ବିଜେଡିକୁ ଦୁର୍ବଳ କରିବା ପାଇଁ ଚାଲିଥିଲା ଷଡଯନ୍ତ୍ର- ସୁବାଷ ସିଂ