ଭୁବନେଶ୍ୱର: ବିଜେଡ଼ି ନେତା ପ୍ରତାପ ଜେନାଙ୍କ ବାସଭବନ ସମ୍ମୁଖରେ ହଙ୍ଗାମା କରିବା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଜେଡ଼ି ଦୁଇ ଛାତ୍ର ନେତାଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ସିଦ୍ଧାର୍ଥ ସ୍ୱାଇଁ ଏବଂ ଦେବୀ ପ୍ରସାଦ ଲେଙ୍କା ।
ଉଭୟ ବିଜୁ ଛାତ୍ର ଜନତା ଦଳର ଉପସଭାପତି ଥିଲେ । ଗତକାଲି ସେମାନଙ୍କୁ ଦଳ ବିରୋଧୀ କାର୍ଯ୍ୟପାଇଁ ସଭାପତି ନିଲମ୍ବିତ କରିଛନ୍ତି । ଗିରଫ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
ଉଲ୍ଲେଖ ଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ଭୁବନେଶ୍ୱରରେ ଥିବା ପ୍ରତାପ ଜେନାଙ୍କ ସରକାରୀ ବାସଭବନ ସମ୍ମୁଖରେ ହଙ୍ଗାମା କରିଥିଲେ । ବାଣ ଫୁଟାଇ ପ୍ରତାପ ଏବଂ ପାଣ୍ଡିଆନଙ୍କୁ ତୀବ୍ର ବିରୋଧ କରିଥିଲେ । ଯେଉଁମାନଙ୍କୁ ବିଜୁ ବାବୁ ମଣିଷ କରିଥିଲେ ସେମାନେ ବିଧାୟକଙ୍କୁ ନିଲମ୍ବିତ କରି ଘରେ ଲୁଚି ବସିଛନ୍ତି । ସେମାନେ ବିଜୁ ବାବୁଙ୍କ ଦଳକୁ ଆଜି ବୁଡ଼ାଇ ଦେବାକୁ ବସିଛନ୍ତି ବୋଲି ଚିତ୍କାର କରି କହିଥିଲେ । ପାଣ୍ଡିଆନଙ୍କୁ ବିରୋଧ କରାଯିବ । ଏହି ସମୟରେ ତାଙ୍କ ସୁରକ୍ଷା କର୍ମୀଙ୍କ ସହିତ ମଧ୍ୟ ଯୁକ୍ତି ତର୍କ ହୋଇଥିଲା । ସେମାନେ ଦେବୀରଞ୍ଜନ ତ୍ରିପାଠୀଙ୍କ ସମର୍ଥକ ବୋଲି କୁହାଯାଉଛି । ସେପଟେ ପ୍ରତାପ ଜେନା ଏହା ଉପରେ ପ୍ରତିକ୍ରିୟା କହିଥିଲେ ଯେ ସୁରକ୍ଷାକର୍ମୀ ଏବଂ ଘରେ ଜଣେ ପିଲାଙ୍କୁ ବାଡ଼େଇବା ସହିତ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଚମକ ଦେଇଥିଲେ । ଯାହା ଭିଡ଼ିଓରେ ନାହିଁ । ସେମାନଙ୍କ ମଧ୍ୟରୁ କିଛି ନିଲମ୍ବିତ ବିଧାୟକଙ୍କ ସମର୍ଥକ ଏବଂ ଆଉ କିଛି ବ୍ୟକ୍ତି ବିଜେପିର ବୋଲି ପ୍ରତାପ ଅଭିଯୋଗ କରିଛନ୍ତି । ଏ ନେଇ ସେ ପୋଲିସକୁ ଖବର ଦେବା ସହିତ ଥାନାରେ ଏତଲା ଦେଇଛନ୍ତି । ପୋଲିସ ରାତିରେ ପହଁଚି ଯାଞ୍ଚ କରିଛି । ପ୍ରତାପ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଓ ଡିସିପିଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛନ୍ତି ।