ଭୁୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ୫ ଦିନ ବିତି ଯାଇଥିଲେ ହେଁ ରାଜନୀତି ଥମୁନି । କ୍ରସ ଭୋଟିଂ କରିଥିବା ବିଧାୟକଙ୍କୁ କଂଗ୍ରେସ ନିଲମ୍ବିତ କରିଥିବା ବେଳେ ବିଜେଡି କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ହେଲେ ବିଜେଡିର ସ୍ଥିତି ଏମିତି ଯେ, ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ କଥା ବି ମାନୁ ନାହାନ୍ତି କିଛି ବିଧାୟକ । ଏହା ମଧ୍ୟରେ ରାଜ୍ୟସଭା ନିର୍ବାଚନ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଁ ଯାହା କହିଥିଲି ସତ କହିଥିଲି ବୋଲି ସେ କହିଛନ୍ତି ।
ପ୍ରଭାତ ବିଶ୍ୱାଳ କହିଛନ୍ତି, ରାଜ୍ୟ ବାହାରେ ଟ୍ରଷ୍ଟ ଗଠନ କଥା ମାନିଛନ୍ତି ନବୀନ ପଟ୍ଟନାୟକ । ପୂର୍ବରୁ ୪୦ ବିଧାୟକଙ୍କ ଆଗରେ ପଚାରିବାରୁ ସଂତୃପ୍ତ ମିଶ୍ର ମନା କରିଥିଲେ । ନବୀନ ମାନିବା ପରେ ଆଜି ସବୁ ସତ କଥା ପଦାକୁ ଆସିଛି । ଗଠନ ହୋଇଥିବା ବିଜୁ ଟ୍ରଷ୍ଟର ମୁଖ୍ୟ ଭିକେ ପାଣ୍ଡିଆନ ରହିଛନ୍ତି । ରାଜନୀତିରୁ ସନ୍ନ୍ୟାସ ନେବା ପରେ ବି ପାଣ୍ଡିଆନ ସବୁ କିଛି କରୁଛନ୍ତି । ପୂର୍ବରୁ ପ୍ୟାରୀ ବାବୁ ସବୁ କରୁଥିଲେ ଏବଂ ନବୀନ କେବଳ ଦସ୍ତଖତ କରୁଥିଲେ । ପରେ ପାଣ୍ଡିଆନ ସବୁ କିଛି କଲେ ନବୀନ ବାବୁ ଖାଲି ଦସ୍ତଖତ ମାରିଲେ । ଆଜି ବି ଦିଲ୍ଲୀରେ ରହି ପାଣ୍ଡିଆନ୍ ଗୋଟି ଚାଳନା କରୁଛନ୍ତି । ନାମକୁ ମାତ୍ର ସେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ।
ଏହା ପୂର୍ବରୁ ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ଏବଂ ନବୀନଙ୍କ ପ୍ରତି ବିଷୋଦଗାର କରିଥିଲେ ପ୍ରଭାତ ବିଶ୍ୱାଳ । ପାର୍ଟିର ବରିଷ୍ଠ ନେତାଙ୍କୁ ଅଣଦେଖା କରି ପାଣ୍ଡିଆନଙ୍କ ଇସାରାରେ ନବୀନ ସବୁ କାମ କରୁଥିବା ସେ ଅଭିଯୋଗ କରିଥିଲେ । ସେ ମିଡିଆ ସାମ୍ନାରେ ଖୋଲାଖୋଲି ବିଜେଡିର କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନ ଉଠାଇଥିଲେ । ଏହା ପରେ ଦଳ ତାଙ୍କୁ ପାର୍ଟି ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିଥିଲା ।
ନିକଟରେ ସଂପନ୍ନ ରାଜ୍ୟସଭା ନିର୍ବାଚନରେ ତାଙ୍କ ପୁଅ ତଥା କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଦଳୀୟ ହ୍ୱିପକୁ ଅବମାନନା କରି କ୍ରସ ଭୋଟିଂ କରି ସେ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ଭୋଟ୍ ଦେବା ପରେ ସେ ମିଡିଆ ସାମ୍ନାରେ ନିଜ ବାପା ପ୍ରଭାତ ବିଶ୍ୱାଳଙ୍କ ଅପମାନର ପ୍ରତିଶୋଧ ନେଇଥିବା କହିଥିଲେ ।
Also Read: ପ୍ରତାପ ଜେନାଙ୍କ ସରକାରୀ ବାସଭବନ ସମ୍ମୁଖରେ ଉତ୍ତେଜନା, ରାତି ଅଧରେ ହଙ୍ଗାମା