ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନକୁ ନେଇ ପ୍ରସ୍ତୁତିରେ ଜୁଟି ଯାଇଛି ଭାରତୀୟ ଜନତା ପାର୍ଟି । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମସି)କୁ ମାତ୍ ଦେବା ପାଇଁ ପୂରା ଶକ୍ତି ଖଟାଇ ଦେଇଛି ବିଜେପି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ଶୀର୍ଷ ନେତାଙ୍କ ଆଗମନ ଆରମ୍ଭ ହୋଇ ଗଲାଣି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ ଆଗାମୀ ମାସରେ ୧୪ ରାଲି ଏବଂ ରୋଡ୍ ଶୋ କରିବେ । ପଶ୍ଚିମବଙ୍ଗର ଜଣେ ବରିଷ୍ଠ ନେତା ଏହାର ସୂଚନା ଦେଇଛନ୍ତି । ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ୮ ରାଲି ଏବଂ ରୋଡ୍ ଶୋ କରିବେ ।
ବିଜେପି ଅଧ୍ୟକ୍ଷ ନୀତିନ ନବୀନ ପଶ୍ଚିମବଙ୍ଗରେ ଅତି କମରେ ସାତୋଟି ଜନସଭାକୁ ସମ୍ବୋଧିତ କରିବେ । ଏହା ବ୍ୟତୀତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ଛଅ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ପୀୟୂଷ ଗୋଏଲ, କିରଣ ରିଜିଜୁ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେ ।
ମଇଦାନକୁ ଓହ୍ଲାଇବେ ଯୋଗୀ ଆଦିତ୍ୟନାଥ
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ବିଜେପିର ଫାୟର ବ୍ରାଣ୍ଡ ନେତା ଯୋଗୀ ଆଦିତ୍ୟନାଥ ମଧ୍ୟ ପଶ୍ଚିମବଙ୍ଗରେ ମାରାଥନ ଜନସଭା କରିବେ । ସଦ୍ୟତମ ସୂଚନା ଅନୁଯାୟୀ, ତାଙ୍କର ପଶ୍ଚିମବଙ୍ଗରେ ୮ଟି ପ୍ରଚାର କାର୍ଯ୍ୟକ୍ରମ ରହିଛି । ଏଥିରେ ଜନସଭା ଏବଂ ରୋଡ୍ ଶୋ ସାମିଲ୍ । ଅଭିନେତାରୁ ନେତା ହୋଇଥିବା ମିଥୁନ ଚକ୍ରବର୍ତ୍ତୀ ରାଜ୍ୟରେ ଅତି କମରେ ୧୦ ସଭାରେ ସାମିଲ ହେବେ । ଏହା ବ୍ୟତୀତ ଅନେକ ରୋଡ୍ ଏବଂ ଜନସଭାକୁ ସମ୍ବୋଧିତ କରିବେ ।
ଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ବ୍ରିଗେଡ ପରେଡ୍ ଗ୍ରାଉଣ୍ଡରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ, ଲୋକଙ୍କ ଉତ୍ସାହରୁ ଜଣା ପଡୁଛି ଯେ, ପଶ୍ଚିମବଙ୍ଗରେ ସରକାର ବଦଳିବାକୁ ଯାଉଛି । ପଶ୍ଚିମବଙ୍ଗବାସୀ ମନସ୍ଥ କରି ସାରିଛନ୍ତି ଯେ, ଏଥର ରାଜ୍ୟରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି ।
Also read: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ଜାରି କଲା ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଏହି ସିଟରୁ ଲଢିବେ ରୂପା ଗାଙ୍ଗୁଲି