କଟକ: ବିଜେଡିରୁ ଛଅ ବିଧାୟକଙ୍କ ନିଲମ୍ବନକୁ ନେଇ ଉଠିଛି ବିରୋଧର ସ୍ୱର । ବିଧାୟକଙ୍କ ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି । ବାଲେଶ୍ୱର ଜିଲ୍ଲାଠୁ ନେଇ କଟକ ପର୍ଯ୍ୟନ୍ତ ଭିକେ ପାଣ୍ଡିଆନଙ୍କ ବିରୋଧରେ ବିଜେଡି କର୍ମୀ ନାରାବାଜି ଦେଇଛନ୍ତି । ରବିବାର କଟକରେ ଦେବୀରଞ୍ଜନ ତ୍ରିପାଠୀଙ୍କ ନିଲମ୍ବନକୁ ତୀବ୍ର ବିରୋଧ ତାତି ଉଠିଛନ୍ତି ତାଙ୍କ ସମର୍ଥକ । ଏହା ସହିତ ଭିକେ ପାଣ୍ଡିଆନଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି ।
ରବିବାର ବିଜୁ ପଟ୍ଟନାୟକ ଛକରେ ଦେବୀରଞ୍ଜନଙ୍କ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସମର୍ଥକମାନେ ଦଳରୁ ପାଣ୍ଡିଆନଙ୍କୁ ବୟକଟ୍ କରିବାକୁ ଦାବି କରିଛନ୍ତି । ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ ସହ ପାଣ୍ଡିଆନ ଗୋ ବ୍ୟାକ୍ ନାରାବାଜି ଦେଇଛନ୍ତି । ସମର୍ଥକମାନେ କହିଛନ୍ତି, ସନ୍ନ୍ୟାସ ନେବାର ୨ ବର୍ଷ ପରେ ବି ଦଳ ପାଣ୍ଡିଆନଙ୍କ ଦ୍ୱାରା ପରିଚାଳିତ ହେଉଛି । ଦଳରେ ବରିଷ୍ଠ ନେତାଙ୍କ ଗୁରୁତ୍ୱ ରହୁନି ।
ଉଲ୍ଲେଖନୀୟ ବିଜେଡି ନିଲମ୍ବିତ କରିଥିବା ଛଅ ବିଧାୟକଙ୍କ ମଧ୍ୟରେ ବାଙ୍କିର ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ନାଁ ରହିଛି । ରାଜ୍ୟସଭା ନିର୍ବାଚନରେ ଦେବୀରଞ୍ଜନ ଦଳୀୟ ହ୍ୱିପକୁ ଅବମାନନା କରି କ୍ରସ ଭୋଟିଂ କରିଥିଲେ । ସେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ମୋଟ୍ ୧୧ ଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ । ଆଉ ଚତୁର୍ଥ ସିଟରେ ଦିଲୀପ ରାୟ ବିଜୟୀ ହୋଇଥିଲେ ।
ସୂଚନାଯୋଗ୍ୟ, ଭିକେ ପାଣ୍ଡିଆନଙ୍କୁ ନେଇ ଏବେ ବିଜେଡି ନେତାଙ୍କ ମନରେ ଅସନ୍ତୋଷର ନିଆଁ କୁହୁଳୁଛି । କେହି ସର୍ବସମ୍ମୁଖରେ କହୁ ନ ଥିଲେ ବି ବିଜେଡିରେ ଏବେ ବି ପାଣ୍ଡିଆନଙ୍କ ପତିଆରା ଅଛି ବୋଲି ସ୍ୱୀକାର କରୁଛନ୍ତି । ପାଣ୍ଡିଆନଙ୍କ ଇସାରାରେ ଦଳ ପରିଚାଳିତ ହେଉଥିବା ଚର୍ଚ୍ଚା ଚାଲିଛି ।
Also read: ବାଲେଶ୍ୱରରେ ବିଜେଡିକୁ ବଡ଼ ଝଟକା; ସୁବାସିନୀଙ୍କ ନିଲମ୍ବନକୁ ବିରୋଧ କରି ବିଜେଡ଼ରୁ ଇସ୍ତଫା ଦେଉଛନ୍ତି ତୃଣମୂଳସ୍ତରୀୟ ନେତା