ଭୁବନେଶ୍ୱର: ବିଳମ୍ବରେ ହେଉ ପଛେ ବିଜୁ ଜନତା ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳୀୟ ହ୍ୱିପକୁ ଅବମାନନା କରି କ୍ରସ୍ ଭୋଟିଂ କରିଥିବା ୬ ଜଣ ବିଧାୟକଙ୍କୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦଳରୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ବସ୍ତା ବିଧାୟିକା ସୁବାସିନୀ ଜେନା, ତିର୍ତ୍ତୋଲ୍ ବିଧାୟକ ରମାକାନ୍ତ ଭୋଇ ଓ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ।
ଏହି ୬ ବିଧାୟକଙ୍କୁ ମିଶାଇ ମୋଟ ୮ ଜଣ ବିଧାୟକ ବିଜେଡ଼ିରୁ ବର୍ତ୍ତମାନ ନିଲମ୍ବିତ ହୋଇଛନ୍ତି । ପୂର୍ବରୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ନିଲମ୍ବିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଦଳ ପକ୍ଷରୁ ବିଧାନସଭାରେ ଏମାନଙ୍କ ଆସନ ପରିବର୍ତ୍ତନ ପାଇଁ ମଧ୍ୟ ବାଚସ୍ପତିଙ୍କୁ ସୁପାରିଶ କରାଯାଇପାରେ ।
ଗତ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନର ଉପରୋକ୍ତ ସଦସ୍ୟମାନେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ମତଦାନ କରିଥିଲେ । ଏମାନଙ୍କୁ ଦଳ କାରଣ ଦର୍ଶାଅ ନୋଟିସ୍ ଜାରି କରି ମାର୍ଚ୍ଚ ୨୦ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲା । ମାତ୍ର ପାଲଟା ଜବାବରେ ବିଧାୟକମାନେ ଧମକ ଦେଇଥିଲେ । ଏହା ଜାତୀୟ ନିର୍ବାଚନ ଆୟୋଗ ଏବଂ ସୁପ୍ରିମକୋର୍ଟଙ୍କ ଅବମାନନା । ଯଦି ନୋଟିସ୍ ପ୍ରତ୍ୟାହୃତ ନ ହୁଏ ତେବେ ମୁଖ୍ୟ ସଚେତକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ପୂର୍ଣ୍ଣ ଜବାବ ଦେଇଥିଲେ ।
ତେବେ କ୍ରସ୍ ଭୋଟିଂ ଅଭିଯୋଗରେ ପ୍ରଥମେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ବିଧାୟିକ ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଓ ଦାଶରଥୀ ଗମାଙ୍ଗୋ ନିଲମ୍ବିତ ହୋଇଛନ୍ତି ।