ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା। ମୁଖ୍ୟ ଅଭିଯୁକ୍ତ ସହିତ ଅନ୍ୟ ୩ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ। ମୃତଦେହ ଉଦ୍ଧାର ହେବାର ୪୮ ଘଣ୍ଟା ଭିତରେ ମାମଲାର ପର୍ଦ୍ଦାଫାସ କରି ପୁଲିସ ୪ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ଅଭିନଵ ସୋନକାରକ୍ଷ। ଗିରଫ ମୁଖ୍ୟ ଅଭିଯୁକ୍ତ ହେଲେ କାମାକ୍ଷାନଗର ଥାନା ସାଆନ୍ତାରାପୁର ଗାଁର ଗଙ୍ଗାଧର ପାତ୍ର ଓରଫ ଜଗା।
ପୋଲିସର କହିବା ମୁତାବିକ, ଅଭିଯୁକ୍ତ ଜଗା ଏକ କାର ଯୋଗେ ନାବାଳିକା ଛାତ୍ରୀ ଜଣଙ୍କୁ ପଲ୍ଲୀ ଗାଁ ନିକଟକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ। ଅତ୍ୟଧିକ ରକ୍ତସ୍ରାବ ହେବା ସହ ପରବର୍ତ୍ତୀ ସମୟରେ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଅଭିଯୁକ୍ତ ଜଗାଙ୍କୁ ତାଙ୍କ ମାମୁଁ ପୁଅ ଭାଇ ସାନଇନ୍ଦିପୁର ଗାଁର ଚନ୍ଦନ କୁମାର ନାଏକ, ପରଜଙ୍ଗ ଥାନା କୁମୁସି ଗାଁର ମଉସା ରସାନନ୍ଦ ନାଏକ ଏବଂ ସାଆନ୍ତରାପୁର ଗାଁର ଅନ୍ୟ ଜଣେ ସହଯୋଗୀ ମଦନ ମୋହନ ପାତ୍ର ସହଯୋଗ କରିଥିଲେ। ଯେଉଁ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା।
ତେବେ ଘଟଣା ଘଟିବାର ୪୮ ଘଣ୍ଟା ନପୂରୁଣୁ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ। ଅନ୍ୟ ତିନି ଅଭିଯୁକ୍ତ ହେଲେ ସାନଇନ୍ଦିପୁର ଗାଁର ଚନ୍ଦନ କୁମାର ନାଏକ, ସାଆନ୍ତାରାପୁର ଗାଁର ମଦନ ମୋହନ ପାତ୍ର, ଓ ପରଜଙ୍ଗ ଥାନା କୁମୁସି ଗାଁର ରସାନନ୍ଦ ନାଏକ। ସେମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କାର, ୩ଟି ମୋବାଇଲ, ମୃତ କଲେଜ ଛାତ୍ରୀଙ୍କ ରକ୍ତଭିଜା ଓଢଣୀ ଓ କଲେଜ ବ୍ୟାଗକୁ ପୋଲିସ ଜବତ କରିଛି। ଏନେଇ କାମାକ୍ଷାନଗର ଥାନାରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଛି ପୋଲିସ।