ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଶୃଙ୍ଖଳିତ ଯାନବାହନ ଚଳାଚଳ ପାଇଁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଏକ ବଡ଼ ଧରଣର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଅଭିଯାନ। ଏହି ଅଭିଯାନର ପ୍ରଥମ ଦିନରେ ହିଁ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରଥମ ଦିନରେ ମୋଟ ୧୭,୮୩୧ ଟି ଇ-ଚାଲାଣ କଟାଯାଇଛି। ନିୟମ ଭାଙ୍ଗିଥିବା ଗାଡ଼ି ଚାଳକଙ୍କ ଉପରେ ୯ କୋଟି ୫୭ ଲକ୍ଷ ୫୯ ହଜାର ୫୦୪ ଟଙ୍କାର ମୋଟା ଅଙ୍କର ଜରିମାନା ଲଗାଯାଇଛି। ସେହିପରି ଗୁରୁତର ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୬୪ଟି ଗାଡ଼ିକୁ ଅଟକ ରଖାଯାଇଛି।
ମାର୍ଚ୍ଚ ୩୧ ଯାଏଁ ଚାଲିବ କଡ଼ା ଚେକିଂ:
ପରିବହନ ବିଭାଗର ସୂଚନା ଅନୁସାରେ, ଏହି ସ୍ୱତନ୍ତ୍ର ଅଭିଯାନ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତିଦିନ ସକାଳ ଓ ସନ୍ଧ୍ୟା ଦୁଇଟି ସମୟରେ ବିଭିନ୍ନ ପ୍ରମୁଖ ଛକ, ଜାତୀୟ ରାଜପଥ, ଖଣି ଏବଂ ଶିଳ୍ପାଞ୍ଚଳରେ ଚେକିଂ କଡ଼ାକଡ଼ି କରାଯିବ। ପୋଲିସ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ଏନଫୋର୍ସମେଣ୍ଟ କରାଯାଉଛି।
ଏହି ନିୟମଗୁଡ଼ିକ ଉପରେ ରହିଛି ନଜର:
ଅଭିଯାନ ସମୟରେ ମୁଖ୍ୟତଃ ଦୁର୍ଘଟଣାର କାରଣ ସାଜୁଥିବା ନିୟମ ଉଲ୍ଲଙ୍ଘନ ଉପରେ ଗୁରୁତ୍ୱ ଦିଆଯାଉଛି:
1. ଦ୍ରୁତଗତି ଓ ମଦ୍ୟପାନ କରି ଗାଡ଼ି ଚଳାଇବା।
2. ବିନା ହେଲମେଟ୍ ଓ ସିଟ୍ବେଲ୍ଟରେ ଯାତ୍ରା କରିବା।
3. ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ବ୍ୟବହାର ଓ ଓଭରଲୋଡିଂ।
4. ଭୁଲ୍ ଦିଗରେ ଗାଡ଼ି ଚଳାଇବା ଏବଂ ବେଆଇନ ପାର୍କିଂ।
ସଚେତନତା ଉପରେ ଗୁରୁତ୍ୱ:
କେବଳ ଜରିମାନା ନୁହେଁ, ବରଂ ଲୋକଙ୍କୁ ସଡ଼କ ସୁରକ୍ଷା ନିୟମ ବିଷୟରେ ବୁଝାଇବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ (RTO) ମାନେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି। ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।