ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୯ତମ ସିଜିନ୍ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୮ ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଉପରେ ସଭିଙ୍କ ନଜର ରହିବ। କାରଣ ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଆରସିବି ଓ ଏସଆରଏଚ। IPL ଆରମ୍ଭ ହେବା ପୂର୍ବରୁ ବିସିସିଆଇ ନୂଆ ସିଜିନର କାର୍ଯ୍ୟସୂଚୀ ଜାରି କରିଛି। ଏହା ପରେ ଭାରତୀୟ କ୍ରିକେଟ୍ ଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି। IPL ପରେ ଟିମ୍ ଇଣ୍ଡିଆକୁ ଲଗାତାର ଆକ୍ସନରେ ଦେଖିବାକୁ ମିଳିବ। ଦଳ ପ୍ରଥମେ ଆଫଗାନିସ୍ତାନ, ଏହା ପରେ ଆୟରଲାଣ୍ଡ ଓ ପୁଣି ଇଂଲଣ୍ଡ ବିପକ୍ଷରେ ସିରିଜ୍ ଖେଳିବ।
ଭାରତ ବନାମ ଆୟର୍ଲାଣ୍ଡ T20 ସିରିଜର ସିଡ୍ୟୁଲ
ତିନ ବର୍ଷ ପରେ ପ୍ରଥମ ଥର ଟିମ୍ ଇଣ୍ଡିଆ ଆୟରଲାଣ୍ଡ ଗସ୍ତ କରିବ। ପୂର୍ବରୁ ଭାରତୀୟ ଦଳ ୨୦୧୮, ୨୦୨୨ ଏବଂ ୨୦୨୩ରେ ଆୟରଲାଣ୍ଡ ଗସ୍ତ କରିଛି। ଦୁଇ ମ୍ୟାଚ୍ ବିଶିଷ୍ଟ T20 ସିରିଜ ପ୍ରଥମ ମ୍ୟାଚ୍ ଜୁନ୍ ୨୬ ଏବଂ ଦ୍ଵିତୀୟ ମ୍ୟାଚ୍ ଜୁନ୍ ୨୮ ରେ ଖେଳାଯିବ। ଉଭୟ ମ୍ୟାଚ୍ ବେଲଫାଷ୍ଟରେ ଖେଳାଯିବ।
ପ୍ରଥମ ଟି-୨୦ - ଭାରତ ବନାମ ଆୟରଲାଣ୍ଡ , ବେଲଫାଷ୍ଟ
ଦ୍ଵିତୀୟ ଟି-୨୦ - ଭାରତ ବନାମ ଆୟରଲାଣ୍ଡ , ବେଲଫାଷ୍ଟ
ରୋହିତ ଏବଂ ବିରାଟ କେତୋଟି ମ୍ୟାଚ୍ ଖେଳିବ ?
ରୋହିତ ଶର୍ମା ଏବଂ ବିରାଟ କୋହଲି ଟି-୨୦ ଫର୍ମାଟରୁ ଅବସର ନେଇସାରିଛନ୍ତି। ତେଣୁ ଦୁଇ ଖେଳାଳି ଆୟରଲାଣ୍ଡ ବିପକ୍ଷ ସିରିଜରେ ଖେଳିବେ ନାହିଁ। ଏହା ପୂର୍ବରୁ, ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ଗୋଟିଏ ଟେଷ୍ଟ ଏବଂ ତିନୋଟି ଦିନିକିଆ ଖେଳିବ। ରୋହିତ ଏବଂ ବିରାଟ ଏହି ତିନୋଟି ଦିନିକିଆ ମ୍ୟାଚ୍ ଖେଳି ପାରନ୍ତି। ଭାରତ ବନାମ ଆଫଗାନିସ୍ତାନ ସିରିଜ୍ ଜୁନ୍ ୬ ରୁ ଜୁନ୍ ୨୦ ପର୍ଯ୍ୟନ୍ତ ଚାଲିବ।
ଆୟରଲାଣ୍ଡ ସିରିଜ୍ ପରେ, ଟିମ୍ ଇଣ୍ଡିଆ ଇଂଲଣ୍ଡ ଯାତ୍ରା କରିବ। ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ପାଞ୍ଚଟି ଟି-୨୦ ଏବଂ ତିନୋଟି ଦିନିକିଆ ଖେଳିବ। ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତ ଜୁଲାଇ ୧ ରୁ ଜୁଲାଇ ୧୯ ପର୍ଯ୍ୟନ୍ତ ଚାଲିବ। IPL 2026 ସମାପ୍ତ ହେବା ପରେ ଭାରତୀୟ କ୍ରିକେଟ୍ ଦଳ ବହୁତ ବ୍ୟସ୍ତ ରହିବ। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଆଗାମୀ ତିନୋଟି ସିରିଜରେ ଛଅଟି ଦିନିକିଆରେ ଦେଖିବାକୁ ମିଳିବ।