ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୬ ଆରମ୍ଭ ହେବାକୁ ଆଉ ସପ୍ତାହେରୁ କମ ସମୟ ବାକି ଅଛି। ଏହା ମଧ୍ୟରେ ବିରାଟ କୋହଲିଙ୍କୁ ନେଇ ଏକ ଗୁଜବ ପ୍ରଚାରିତ ହୋଇଛି। ଆଉ ଏହା ଉପରେ ବିରାଟ କୋହଲି ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ପ୍ରଚାରିତ ଗୁଜବକୁ ଖଣ୍ଡନ କରିଛନ୍ତି। ବିରାଟ କୋହଲି ଏହି ଗୁଜବକୁ ଭୁଲ ପ୍ରମାଣିତ କରିବା ପାଇଁ ସୋସିଆଲ ମିଡିଆରେ ଦୁଇଟି ହସିବା ଇମୋଜି ସେୟାର କରିଛନ୍ତି। ଆରସିବିର ଷ୍ଟାର ବ୍ୟାଟର ସ୍ପଷ୍ଟ କରିଛନ୍ତି ଯେ, ସୋସିଆଲ ମିଡିଆରେ ତାଙ୍କ ବିଷୟରେ ପ୍ରସାରିତ ଖବର ଗୁଜବ ଏବଂ ଭିତ୍ତିହୀନ।
ବିରାଟ କୋହଲିଙ୍କୁ ନେଇ କେଉଁ ଗୁଜବ ପ୍ରଚାର କରାଯାଇଥିଲା ?
ସୋସିଆଲ ମିଡିଆରେ ଚହଳ ପଡ଼ିଥିଲା ଯେ, ବିରାଟ କୋହଲି ଭାରତରୁ ଲଣ୍ଡନକୁ ଚାର୍ଟର୍ଡ ଫ୍ଲାଇଟ୍ ଅନୁରୋଧ କରିଥିଲେ। ବିରାଟ ଆରସିବି ମ୍ୟାଚ୍ ମଧ୍ୟରେ ତିନି ଦିନର ବ୍ୟବଧାନ ପାଇଁ ଏହି ଅନୁରୋଧ କରିଥିଲେ। ସେହି ସମୟ ମଧ୍ୟରେ, ସେ ଚାର୍ଟର୍ଡ ଫ୍ଲାଇଟ୍ ଯୋଗେ ଲଣ୍ଡନ ଯାତ୍ରା କରିବେ ଏବଂ ପୁଣି ଭାରତ ଫେରି ଆସିବେ।
ଗୁଜବକୁ ଖଣ୍ଡନ କଲେ ବିରାଟ
ବିରାଟ କୋହଲି ଏବେ ସୋସିଆଲ ମିଡିଆରେ ତାଙ୍କ ବିଷୟରେ ପ୍ରସାରିତ ଖବରକୁ ଖଣ୍ଡନ କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୁଇଟି ହସିବା ଇମୋଜି ଯୋଡିଛନ୍ତି। ବିରାଟଙ୍କ ଏହି ପୋଷ୍ଟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେ ଏହି ଖବରକୁ ଗୁରୁତ୍ଵ ଦେଉ ନାହାନ୍ତି, କାରଣ ଏହା ଏକ ଗୁଜବ ଖବର। ଏହି ଗୁଜବକୁ ସେ ଉପହାସ ନଜରରେ ଦେଖିଛନ୍ତି।
IPL 2026 ପାଇଁ ବିରାଟଙ୍କ ପ୍ରସ୍ତୁତି ଜୋରଦାର
ବିରାଟ କୋହଲି ବର୍ତ୍ତମାନ IPL 2026 ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସେ ଗତ ସପ୍ତାହରେ ହିଁ RCB ଶିବିରରେ ଯୋଗ ଦେଇଥିଲେ। RCB ତାଲିମ ଶିବିରରୁ ବିରାଟ କୋହଲିଙ୍କ ଅଭ୍ୟାସର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। କିଛି ଭିଡିଓରେ ବିରାଟ ବ୍ୟାଟିଂ ଅଭ୍ୟାସ କରୁଥିବାର ଦେଖାଯାଉଛି, ଅନ୍ୟ ଭିଡିଓରେ ସେ RCB ଖେଳାଳିଙ୍କ ସହ ତାଙ୍କର ଅଭିଜ୍ଞତା ବାଣ୍ଟୁଥିବାର ଦେଖିବାକୁ ମିଳିଛି। IPLର ପ୍ରଥମ ସିଜିନରୁ ବିରାଟ RCB ସହ ରହିଛନ୍ତି। ସେ ଏକମାତ୍ର ଖେଳାଳି ଯାହାଙ୍କର ସମଗ୍ର IPL କ୍ୟାରିୟର କେବଳ ଗୋଟିଏ ଦଳ ସହିତ ବିତିଛି।