ବାଲେଶ୍ୱର: ଏବେ ରାଜ୍ୟରେ ଖରାର ପ୍ରଭାବ ଦେଖାଦେଇଛି, ଆଉ ସେଥିପାଇଁ ଗାଁ ଗାଁରେ ବଢ଼ୁଛି ଜଳକଷ୍ଟ। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଆଡ଼ିଆଖୁଣ୍ଟା ଗାଁରେ ଏହି ସମସ୍ୟା ଏବେ ଚୂଡ଼ାନ୍ତ ରୂପ ନେଇଛି। ପାଣି ପାଇଁ ଡହଳ ବିକଳ ହୋଇ ପଡ଼ିଥିବା ଗାଁଲୋକେ ଶେଷରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି।
ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ତିନି ବର୍ଷ ହେବ ମେଗା ପାନୀୟ ଜଳ ପ୍ରକଳ୍ପରେ ପାଇପ ବିଛାଯାଇଥିଲେ ବି ଏପର୍ଯ୍ୟନ୍ତ ଘରକୁ ପାଣି ଆସୁନାହିଁ। ଏପଟେ ଗାଁର ପୁରୁଣା ନଳକୂଅଗୁଡ଼ିକ ମଧ୍ୟ ଅଚଳ ହେବାକୁ ବସିଛି। ଫଳରେ ଦିନକୁ ଦିନ ପାଣି ସଂକଟ ଭୟଙ୍କର ରୂପ ନେଉଛି। ଏନେଇ ବାରମ୍ବାର ପ୍ରଶାସନଙ୍କ ନଜରକୁ ଆଣିଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ନମିଳିବାରୁ ଶେଷରେ ଆଜି ବାଧ୍ୟ ହୋଇ ଗାଁଲୋକେ ଅସନ୍ତୋଷ ଜାହିର କରିଛନ୍ତି। ନରସିଂହପୁର-ମାଟିଆଳି ସଂଯୋଗ ରାସ୍ତାର ଆଡିଆଖୁଣ୍ଟା ନିକଟରେ ବାଉଁଶ ବାଡ଼ ପକାଇ ଏବଂ ଗରା-ବାଲଟି ରଖି ରାସ୍ତା ଅବରୋଧ କରିଥିଲେ।
ଏହି ପ୍ରତିବାଦ ଦର୍ଶାଉଛି ଯେ, “ପାଇପ ରହିଲେ ବି ପାଣି ନଥିଲେ ତାହାର କୌଣସି ମୂଲ୍ୟ ନାହିଁ।” ଗାଁଲୋକେ ଦାବି କରିଛନ୍ତି, ଶୀଘ୍ର ପାଣି ସଂଯୋଗ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର କରାଯିବ। ଏବେ ପ୍ରଶ୍ନ ଉଠୁଛି ଗାଁଲୋକଙ୍କ ଏହି ଜଳସମସ୍ୟାର ସମାଧାନ କେବେ ହେବ?