ନୂଆଦିଲ୍ଲୀ: ଇସ୍ରାଏଲ ଓ ଆମେରିକା ମିଶି ଇରାନ ସହ ଗତ ୨୪ ଦିନ ହେବ ଜାରି ଯୁଦ୍ଧ କାରଣରୁ ପୂରା ଦୁନିଆରେ ଶକ୍ତି ସଙ୍କଟ ଦେଖା ଦେଇଛି । ଯୁଦ୍ଧ ଯୋଗୁଁ ହର୍ମୁଜ ପ୍ରଣାଳୀରେ ତେଲ ଓ ଗ୍ୟାସ୍ ପରିବହନ ଠପ୍ ହୋଇ ପଡିଛି । ଏହାର ପ୍ରଭାବ ଏବେ ପାକିସ୍ତାନ ସୁପର ଲିଗ୍ ଉପରେ ମଧ୍ୟ ପଡିଛି । ଫଳସ୍ୱରୂପ ମ୍ୟାଚ୍ ଖାଲି ଷ୍ଟାଡିୟମରେ ଆୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି । କାରଣ ପାକିସ୍ତାନ ସରକାରଙ୍କ ପାଖରେ ୨୮ ଦିନର ତେଲ ମହଜୁଦ ରହିଛି ।
ଅଦ୍ଭୁତପୂର୍ବ ତେଲ ସଙ୍କଟକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ପ୍ରଥମରୁ ନିଜ ଲୋକଙ୍କୁ ଯେତେ ସମ୍ଭବ ଯାତ୍ରାରୁ ନିବୃତ୍ତ ରହିବାକୁ ଅପିଲ୍ କରିଛନ୍ତି । ସ୍କୁଲ ଓ ସଂସ୍ଥା ବନ୍ଦ ପଡିଛି, ଯଦ୍ୱାରା ତେଲ ବ୍ୟବହାର ହ୍ରାସ ପାଇବ । ଇଦର ଛୁଟି ବଢାଇ ଦିଆଯାଇଛି, ଯଦ୍ୱାରା ତେଲ ବଞ୍ଚାଯାଇ ପାରିବ । ସରକାରଙ୍କ ଏପରି ନିର୍ଦ୍ଦେଶ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ପିଏସଏଲ ଆୟୋଜନ କରିବାକୁ ଘୋଷଣା କରିଛି । ଯେଉଁ ଟିକେଟ୍ ପୂର୍ବରୁ ବିକ୍ରି ହୋଇ ସାରିଛି ଏହାର ଟଙ୍କା ଦର୍ଶକଙ୍କୁ ଫେରସ୍ତ କରାଯିବ । ଏପରିକି ଉଦଘାଟନୀ ସମାରୋହ ରଦ୍ଦ କରାଯାଇଛି ।
ପାକିସ୍ତାନ ସୁପର ଲିଗ୍ ୨୦୨୬ ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଛି, ଯାହା ମେ ୩ ପର୍ଯ୍ୟନ୍ତ ଚାଲିବ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଲାହୋର କିମ୍ବା କରାଚିରେ ଖେଳାଯିବ । ଅର୍ଥାତ ୬ ପରିବର୍ତ୍ତେ ଏବେ କେବଳ ଦୁଇଟି ଭେନ୍ୟୁରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏବେ ଦର୍ଶକ କେବଳ ଟିଭିରେ ପିଏସଏଲର ମଜା ଉଠାଇ ପାରିବେ ।
ପିସିବି ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଅନୁମାନ ଥିଲା ଯେ, ଗୋଟିଏ ମାସରୁ ଅଧିକ ସମୟ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତିଦିନ ହାରାହାରି ୩୦ ହଜାର ଦର୍ଶକ ଓ ସପୋର୍ଟ ଷ୍ଟାଫ ଯାତ୍ରା କରିଥାନ୍ତେ । ଏଥିରେ ଉର୍ଜା ସମ୍ବଳ ଉପରେ ବହୁତ ଚାପ ପଡିଥାନ୍ତା । ତେଣୁ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପିସିବି ନିଷ୍ପତ୍ତି ନେଇଛି ।
Also Read: CSK ରିୟୁନିୟନ ଇଭେଣ୍ଟରେ ସାମିଲ୍ ହେଲେ ମହାନ ଖେଳାଳି, ସଞ୍ଜୁଙ୍କୁ ସମ୍ମାନିତ କଲେ ଧୋନି