ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ବର୍ଷରେ ୩୨ ହଜାର ୬୮୭ ମହିଳା ବିରୋଧୀ ହିଂସା ପଞ୍ଜିକୃତ ହୋଇଛି । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବିଧାୟକ ଚକ୍ରମଣି କହଁର ବିଗତ ଏକ ବର୍ଷରେ ରାଜ୍ୟରେ ଘଟିଥିବା ବିଭିନ୍ନ ମହିଳା ବିରୋଧୀ ହିଂସାର ରିପୋର୍ଟ ମାଗିଥିଲେ । ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖିଛନ୍ତି । ୨୦୨୫ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୨ ହଜାର ୬୮୭ ମହିଳା ବିରୋଧୀ ହିଂସା ପଞ୍ଜିକୃତ ହୋଇଛି । ମହିଳାଙ୍କୁ ଅସଦାଚରଣ ମାମଲା ସର୍ବାଧିକ ରହିଥିବାବେଳେ ମହିଳାଙ୍କ ଅପହରଣ ଦ୍ୱିତୀୟ ସର୍ବାଧିକ ସ୍ଥାନରେ ରହିଛି । ଏକ ବର୍ଷରେ ୭୩୮୨ ଜଣ ମହିଳା ଅସଦାଚରଣର ଶିକାର ହୋଇଛନ୍ତି । ସେହିପରି ୭୩୭୮ ଜଣ ମହିଳାଙ୍କୁ ଅପହରଣ କରାଯାଇଛି । ତୃତୀୟରେ ଅଣ-ଯୌତୁକ ନିର୍ଯ୍ୟାତନା ୫୪୧୯ ଥିବାବେଳେ ଯୌତୁକ ନିର୍ଯ୍ୟାତନା ୪୩୬୧ଟି ମାମଲା ରୁଜୁ ହୋଇଛି । ସେହିପରି ୨୯୯୪ଟି ଦୁଷ୍କର୍ମ, ୧୧୫ଟି ଦୁଷ୍କର୍ମ ଉଦ୍ୟମ, ବିଏନସ୍ ଧାରା ୬୮ରେ ୨, ବିଏନ୍ଏସ୍ ରେ ୭୦୨, ୧୧୮୩ଟି ଯୌନ ନିର୍ଯ୍ୟାତନା ଏବଂ ୧୪୪୮ଟି ସର୍ବସାଧାରଣରେ ମହିଳାଙ୍କୁ ଅବମାନନା କରିବା ମାମଲା ରୁଜୁ ହୋଇଛି । ସେହିପରି ଖରାପ ଦୃଷ୍ଟିରେ ଦେଖିବାରେ ୧୨୭ଟି, ପିଛା କରିବେ ୪୮୫ଟି, ଏସିଡ୍ ଆକ୍ରମଣ ଉଦ୍ୟମ ୧, ମହିଳା ଚାଲାଣ ୧୧୧ଟି, ଟିଜିଙ୍ଗ ୭୫୭, ଯୌତୁକ ଜନିତ ହତ୍ୟା ୧୪୫ ଓ ଯୌତୁକ ଜନିତ ଆତ୍ମହତ୍ୟାରେ ୭୭ଟି ମାମଲା ରୁଜୁ କରାଯାଇଛି । ତେବେ ବିଗତ ଏକ ବର୍ଷରେ ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣର କୌଣସି ମାମଲା ଆସି ନାହିଁ ।