ଭୁବନେଶ୍ୱର: ଥମିଲାନି ହଟ୍ଟଗୋଳ, କମିଲାନି ବିରୋଧ। ପୁଣି ହେଲା ଗୃହ ମୁଲତବୀ। ପ୍ରଥମେ ୧୧ଟା ୩୦ ଯାଏଁ ହୋଇଥିଲା ମୁଲତବୀ। ତାପରେ ପୁଣି ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ। ହେଲେ ବିରୋଧୀଙ୍କ ହଙ୍ଗାମା ଓ ହଟ୍ଟଗୋଳ ଲାଗି ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ।
ଆଜି ସୋମବାର ବିଧାନସଭା ବଜେଟ୍ ଅଧିବେଶନ। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ହୋହାଲ୍ଲା ଏବଂ ନାରାବାଜିରେ କମ୍ପିଥିଲା ଗୃହ। ଏସସିବି ଘଟଣାକୁ ଭିତ୍ତି କରି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ଗୃହରେ ହଟ୍ଟଗୋଳ କରି ଚଳାଇ ଦେଉନାହାନ୍ତି। ବାଚସ୍ପତି ସୁରମା ପାଢୀ ପ୍ରଥମେ ୧୧ଟା ୩୦ ଯାଏଁ ଓ ପରେ ୧୨ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ।
ଆଜି ଗୃହ ଆରମ୍ଭରୁ ବିରୋଧୀ ହଟ୍ଟଗୋଳ କରିଥିଲେ। ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ନାରାବାଜି କରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସରକାରଙ୍କୁ ଘେରିଛନ୍ତି। ଏନେଇ ବାଚସ୍ପତି ପ୍ରଥମେ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ କରିଥିଲେ। ମୁଲତବୀ ପରେ ମଧ୍ୟ ଗୃହ ଚାଲିପାରିନଥିଲା। ଅସ୍ୱାଭାବିକ ରହିଥିଲା ଗୃହ। ଏଥିପାଇଁ ବାଚସ୍ପତି ସୁରମା ପାଢୀ ପୁଣି ଗୃହକୁ ୧୨ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ।
ମୁଲତବୀ ସମୟ ସାରିବା ମାତ୍ରେ ପୁଣି ଆରମ୍ଭ ହୋଇଥିଲା ବିଧାନସଭା। ସମାନ ପ୍ରସଙ୍ଗ ନେଇ ବିରୋଧୀ ପୁଣି ହଟ୍ଟଗୋଳ କରିଥିଲେ। ଏସ୍ସିବିରେ ନିଆଁ ଲାଗି ପୋଡ଼ିବା ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି। ଏଥିସହ ବିରୋଧୀ ଉଠାଇଛନ୍ତି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରସଙ୍ଗ। ଶେଷରେ ବାଚସ୍ପତି ପୁନର୍ବାର ବିଧାନସଭାକୁ ମୁଲତବୀ ରଖିଛନ୍ତି। ଅପରାହ୍ନ ୪ଟା ଯାଏଁ ଗୃହ କାର୍ଯ୍ୟକୁ ବନ୍ଦ ରଖିଛନ୍ତି ବାଚସ୍ପତି ସୁରମା ପାଢୀ।