ପୁରୀ: ପୁରୀ ବସଷ୍ଟାଣ୍ଡରେ ଥିବା ଏକ ଘରୋଇ ବସରେ ବଡଧରଣର ଅଗ୍ନିକାଣ୍ଡ। ଗତକାଲି (ରବିବାର) ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା। କୌଣସି କାରଣରୁ ଏକ ଘରୋଇ ବସରେ ନିଆଁ ଲାଗିଯିବାରୁ ବସର ଅନେକ ଅଂଶ ହୁ ହୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଅଗ୍ନିଶମ ବିଭାଗର ତିନୋଟି ଦମକଳ ଗାଡି ତୁରନ୍ତ ବସଷ୍ଟାଣ୍ଡରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ଦୀର୍ଘ ସମୟ ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ପାଣି ସ୍ପ୍ରେ କରି ନିଆଁକୁ ଆୟତ କରିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ତଥ୍ୟ ଅନୁଯାୟୀ, ସର୍ଟ ସର୍କିଟ ଏହି ଅଗ୍ନିକାଣ୍ଡର ସମ୍ଭାବ୍ୟ କାରଣ ବୋଲି ଅନୁମାନ କରାଯାଉଛି। ବସଷ୍ଟାଣ୍ଡରେ ଅନେକ ବସ ଥିବା ସତ୍ତ୍ୱେ ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଫଳରେ ଅଗ୍ନି ଅନ୍ୟ ଗାଡ଼ିଗୁଡ଼ିକୁ ବ୍ୟାପି ପାରିନଥିଲା, ଫଳରେ ଏକ ବଡ଼ ଦୁର୍ଘଟଣାକୁ ଟଳିଯାଇଛି।
ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ବସଷ୍ଟାଣ୍ଡରେ ଅନେକ ଗୁଡାଏ ବସ୍ ରହୁଥିବା ବେଳେ ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣ ଟଳି ଯାଇଥିଲା। ଘଟଣାକୁ ନେଇ ଉଭୟ ଅଗ୍ନିଶମ ବିଭାଗ ଏବଂ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ତଦନ୍ତ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ।
ପୁରୀ ଅଗ୍ନିଶମ କେନ୍ଦ୍ରର ଆସିଷ୍ଟାଣ୍ଟ ଫାୟାର ଅଫିସର ପ୍ରଭାତ କୁମାର ରାଉତ ନିଜ ପ୍ରତିକ୍ରିୟାରେ କହିଛନ୍ତି, ରବିବାର ବିଳମ୍ବିତ ରାତିରେ ପୁରୀ ବସଷ୍ଟାଣ୍ଡରେ ଥିବା ଏକ ବସରେ ନିଆଁ ଲାଗିଥିବା ଆମକୁ ସୂଚନା ଆସିଲା। ସଙ୍ଗେ ସଙ୍ଗେ ୩ ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ପାଖରେ ଥିବା ଅନ୍ୟ ବସକୁ ନିଆଁ ବ୍ୟାପି ନଥିଲା। ଯାହା ଫଳରେ ଏକ ବଡ ଅଘଟଣକୁ ରୋକା ଯାଇପାରିଛି। ତେବେ ଏହି ଘଟଣାରେ କେବଳ ବସଟି ଜଳି ଯାଇଛି। ରାତିରେ ବସଟି ଖାଲି ଥିବାରୁ କାହାରି ଜୀବହାନି କିମ୍ବା ଆହତ ହୋଇନାହାନ୍ତି। ତେବେ ବସଟି ପୂରାପୂରି ଜଳି ନଷ୍ଟ ହୋଇଯାଇଛି।