ଫୁଲବାଣୀ: ଆଦିବାସୀ ସାଧିକା ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ । ପୂର୍ଣ୍ଣମାସୀଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କର ଗୋଡ଼ ହାତ ଫୁଲିବା ସହିତ ରକ୍ତହୀନତା ଦେଖା ଦେଇଛି । ଭେଷଜ ବିଭାଗରେ ଚିକିତ୍ସା ଚାଲିଛି ।
ରବିବାର ସକାଳେ ୮୨ ବର୍ଷିୟା ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ପ୍ରଥମେ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା ଡାକ୍ତର କହିଛନ୍ତି ।
୨୦୨୧ ମସିହାରେ ଜଣେ ଆଦିବାସୀ ସନ୍ଥ ଏବଂ ଆଣ୍ଠୁ କବି ଭାବେ ଜଣାଶୁଣା ପୂର୍ଣ୍ଣମାସୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । କନ୍ଧମାଳ ଜିଲ୍ଲାରେ ତାଡ଼ିସରୁ ବାଇ ହିସାବରେ ପରିଚିତ ପୂର୍ଣ୍ଣମାସୀଙ୍କ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ସଂଖ୍ୟାରେ ଅନୁଗାମୀ ରହିଛନ୍ତି । କନ୍ଧମାଳ ଜିଲ୍ଲାର ଖଜୁରିଆପଡ଼ା ଅନ୍ତର୍ଗତ ତାଳପଡ଼ା ଗ୍ରାମରେ ୧୯୪୨ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ପରେ ସେ ଚାରିପଡ଼ା ଗାଁକୁ ସ୍ଥାନାନ୍ତିରତ ହୋଇଥିଲେ । ସେ କେବେ ସ୍କୁଲ ଯାଇନାହାଁନ୍ତି କିମ୍ବା ଲେଖିବା ଏବଂ ପଢିବା ଜାଣନ୍ତି ନାହିଁ, କେବଳ କୁଇ ଭାଷାରେ କବିତା ପାଠ କରିପାରନ୍ତି । ପୂର୍ଣ୍ଣମାସୀ ଧ୍ୟାନମଗ୍ନ ହେବା ସମୟରେ ଗୀତ ଗାଆନ୍ତି । ସ୍ଥାନୀୟ ଲୋକମାନେ ତାଙ୍କୁ ଜଣେ ଆରୋଗ୍ୟକାରୀ ଭାବରେ ଦେଖନ୍ତି, ଯାହାଙ୍କ ଗୀତ ଆତ୍ମାକୁ ଆରାମ ଦିଏ। ଗତ ୪୦ ବର୍ଷ ମଧ୍ୟରେ ପୂର୍ଣ୍ଣମାସୀ କୁଇ ଭାଷାରେ ହଜାର ହଜାର ଭକ୍ତିପୂର୍ଣ୍ଣ ଏବଂ ଲୋକଗୀତ ଲେଖିଛନ୍ତି ଏବଂ ଗାଇଛନ୍ତି। ସେଥିପାଇଁ ତାଙ୍କୁ ଅନେକ ସମ୍ମାନରେ ସମ୍ମାନୀତ କରାଯାଇଛି । ୨୦୨୧ରେ ପଦ୍ମଶ୍ରୀ ସମ୍ମାନ, ୨୦୨୧ରେ କୁଇ ଭାଷା ସାହିତ୍ୟ ସମିତି ଓ କୁଇ ସମାଜ ଯୁବ ପରିଷଦ ତରଫରୁ ପ୍ରଦତ୍ତ ଭୀମଭୋଇ ସମ୍ମାନ, ୨୦୦୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧନା ଏବଂ ୨୦୨୩ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଦକ୍ଷିଣ ଓଡ଼ିଶା ଲୋକସଂସ୍କୃତି ସମ୍ମାନରେ ସମ୍ମାନୀତ କରାଯାଇଛି ।