ଭୁବନେଶ୍ୱର: ଓଡିଶାର ଖଣି କ୍ଷେତ୍ରରେ ଆସୁଛି ଏକ ବଡ଼ ପରିବର୍ତ୍ତନ। ଆଗାମୀ ଦିନରେ ରାଜ୍ୟରେ ମୋଟ ୩୪ଟି ଖଣି ନିଲାମ କରାଯିବାକୁ ଯାଉଛି, ଯାହା ରାଜ୍ୟର ଅର୍ଥନୀତିକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।
ଏହି ନିଲାମ ତାଲିକାରେ ଲୁହାପଥର, ବକ୍ସାଇଟ୍, ମାଙ୍ଗାନିଜ, ଚୂନପଥର, ତମ୍ବା ସହ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଓ ସୁନା ଖଣି ମଧ୍ୟ ରହିଛି। ବିଶେଷ କଥା ହେଉଛି ଏହି ଖଣିଗୁଡ଼ିକ ମାଲାକାନଗିରି, ସୁବର୍ଣ୍ଣପୁର, କଳାହାଣ୍ଡି, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗିର, ରାୟଗଡ଼ା, କୋରାପୁଟ, ନୂଆପଡ଼ା ଓ ନୟାଗଡ଼ ଭଳି ଖଣିସମୃଦ୍ଧ ଜିଲ୍ଲାରେ ବିସ୍ତାରିତ।
ରାଜ୍ୟ ସରକାର ରାଜ୍ୟରେ ଥିବା ୨୫ଟି ଓ କେନ୍ଦ୍ର ସରକାର ୯ଟି ଖଣି ନିଲାମ କରିବେ। ଖଣି ଓ ଖଣିଜ (ବିକାଶ ଓ ନିୟମକ) ନିୟମ ୨୦୧୫ ଅନୁସାରେ ୫୦ ବର୍ଷିଆ ଲିଜ୍ ଅବଧି ସହ ଏହି ଖଣିଗୁଡ଼ିକୁ ନିଲାମ କରାଯିବ। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ନିଲାମ ହେବାକୁ ଥିବା ଖଣିଗୁଡ଼ିକ ମଧ୍ୟରୁ ୨୫ଟି ପ୍ରମୁଖ ଖଣିଜ ପଦାର୍ଥ ଥୁବା ଖଣି ଓ ୯ଟି ହେଉଛି କ୍ରିଟିକାଲ୍ ମିନେରାଲ ଖଣି ରହିଛି।
କେନ୍ଦ୍ର-ରାଜ୍ୟ ମିଶିତ ପ୍ରୟାସ
- ରାଜ୍ୟ ସରକାର: ୨୫ଟି ଖଣି
- କେନ୍ଦ୍ର ସରକାର: ୯ଟି ଖଣି
- ୫୦ ବର୍ଷର ଲିଜ୍ ଅବଧି (MMDR Act 2015 ଅନୁସାରେ)
ଏକ ଜାତୀୟ ରିପୋର୍ଟ ଅନୁଯାୟୀ, ଏହି ଖଣିମାନଙ୍କ ମଧ୍ୟରୁ ୨୫ଟି ପ୍ରମୁଖ ଖଣିଜ ଓ ୯ଟି କ୍ରିଟିକାଲ୍ ମିନେରାଲ ଖଣି ଅଟେ, ଯାହା ଭବିଷ୍ୟତ ଶିଳ୍ପ ଉନ୍ନତି ପାଇଁ ଅତ୍ୟାବଶ୍ୟକ।
ସୁନା, ହୀରା, ମାଣିକ—ଓଡିଶାରେ ନୂଆ ସମ୍ଭାବନା
ବିଧାନସଭାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ସୁନା, ହୀରା ଓ ମାଣିକ ଖଣି ଠାବ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ମଦନସାହି-କାଞ୍ଜିଆ ଓ କେନ୍ଦୁଝର ଜିଲ୍ଲାର ଜଳଡିହ ସୁନା ଖଣିର ନିଲାମ କରିବାକୁ ସରକାର ଯୋଜନା ରଖୁଛନ୍ତି। ଦେବଗଡ଼ର ଅଡସ-ରାମପଲ୍ଲୀରେ ଠାବ କରାଯଇଥିବା ସୁନା ଖଣିର ମଧ୍ୟ ନିଲାମ କରାଯିବ। ନୟାଗଡ଼, ରାୟଗଡ଼ା ଓ ବଲାଙ୍ଗିରରେ ଗ୍ରାଫାଇଟ୍ ଖଣି, ଦେବଗଡ଼ରେ ସୁନା ଖଣି ନିଲାମ କରାଯିବ।
ନୂଆ ସରକାର, ତ୍ୱରିତ ପଦକ୍ଷେପ
ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ଖଣି ନିଲାମ ପ୍ରକ୍ରିୟାକୁ ତେଜ କରିଛି। ରାଜ୍ୟ ସରକାର ନିଲାମ ପାଇଁ ୩୦ଟି ଖଣିକୁ ପ୍ରସ୍ତୁତ କରିଥିଲେ। ସେଥୁରୁ ୮ଟି ଖଣି ନିଲାମ ହୋଇଛି । ୧୨ଟି ଖଣିକୁ ନିଲାମ କରାଯାଉଥିବାବେଳେ ଖୁବ ଶୀଘ୍ର ଆଉ ୧୦ଟି ଖଣି ନିଲାମ କରାଯିବ ବୋଲି ସୂଚନା ମିଳିଛି।
କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ?
- ଶିଳ୍ପ ଓ ନିବେଶରେ ବୃଦ୍ଧି
- ଚାକିରି ସୃଷ୍ଟି
- ରାଜ୍ୟ ଆୟରେ ବଡ଼ ବୃଦ୍ଧି
ସବୁଠୁ ବଡ଼ କଥା ହେଉଛି ଓଡିଶା ଖଣି ସମ୍ପଦରେ ସମୃଦ୍ଧ ତେଣୁ ଏବେ ଏହି ନିଲାମ ପ୍ରକ୍ରିୟା ରାଜ୍ୟକୁ ଭାରତର ଖଣି ମାପରେ ଆଉ ଶକ୍ତିଶାଳୀ କରିପାରେ।