ଭୁବନେଶ୍ୱର: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟି-୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମେ ୨୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ । ଏ ନେଇ ମାଧ୍ୟମିକ ଶିକ୍ଷକ ପରିଷଦ ପକ୍ଷରୁ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।
ଓଟିଇଟି-୨୦୨୬ ପାଇଁ ୨୬ ମାର୍ଚ୍ଚ ମଧ୍ୟରାତ୍ରରୁ ଅନଲାଇନ ଆବେଦନ ହେବ । ଏପ୍ରିଲ ୯ ତାରିଖ ଯାଏ ଆବେଦନ କରିହେବ । ପରୀକ୍ଷାର୍ଥୀମାନେ www.beeodisha.nis.in ଲିଙ୍କରେ ଆବେଦନ କରିପାରିବେ । ଏପ୍ରିଲ ୮ ତାରିଖ ରାତ୍ର ୧୧ଟା ୪୮ ପର୍ୟ୍ୟନ୍ତ ଅନଲାଇନ୍ ମାଧ୍ୟମରେ ପେମେଣ୍ଟ କରିହେବ । ଓଟିଇଟି ପରୀକ୍ଷା ପାଇଁ ଯୋଗ୍ୟତା, ପାଠ୍ୟକ୍ରମ, ଫର୍ମାଟ୍ ଆଦି ସମ୍ପର୍କରେ ୱେବସାଇଟରେ ଉପଲବ୍ଧ ରହିଛି । ମେ ୨୯ ତାରିଖରେ ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ଅର୍ଥାତ୍ ପ୍ରଥମ ପତ୍ର ବା ପେପର୍-୧ ପରୀକ୍ଷା ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ଏବଂ ଦ୍ୱିତୀୟ ପତ୍ର ବା ପେପର୍-୨ ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ଯାଏ ଚାଲିବ । ପରୀକ୍ଷା ପାଇଁ ମେ ୧୫ ତାରିଖରୁ ଆର୍ଡମିଟ୍ କାର୍ଡ ଉପଲବ୍ଧ ହେବ ।
ଯଦି କେହି ଆବେଦନବେଳେ ଭୁଲ ତଥ୍ୟ ଦିଅନ୍ତି ତେବେ ସେମାନଙ୍କ ପରୀକ୍ଷା ଫଳାଫଳକୁ ବାତିଲ କରାଯିବ । ସେହିପରି ଆବେଦନ ପତ୍ରରେ ନିଜର ବ୍ୟକ୍ତିଗତ ତଥ୍ୟ, ଠିକଣା, ଜାତି, ବିଷୟ ଆଦି ସମ୍ପର୍କରେ ପରୀକ୍ଷାର୍ଥୀମାନେ ଯେଉଁ ତଥ୍ୟ ଦେଇଥିବେ ତାହା ପରବର୍ତ୍ତୀ ସମୟରେ ବଦଳାଯାଇ ପାରିବ ନାହିଁ ବୋଲି କୁହାଯାଇଛି ।