ଭୁବନେଶ୍ୱର: ଥାନା ଭିତରେ ପୋଲିସ ସମ୍ମୁଖରେ ରକ୍ତାକ୍ତ ସଂଘର୍ଷ । ବିବାଦର ସମାଧାନ ପାଇଁ ଆସିଥିବାବେଳେ ଦୁଇ ପକ୍ଷ ମୁହାଁମୁହିଁ ହୋଇଛନ୍ତି । ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଚନ୍ଦକା ଥାନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ମାମଲାରେ ପୋଲିସ ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଚନ୍ଦକା-ବାରଙ୍ଗ ରାସ୍ତାରେ ଥିବା ପାଣ୍ଠିକା ହୋଟେଲ ମାଲିକ ପୀତବାସ ପାଲଟାସିଂହ ୨ଟି ବିବାହ କରିଥିଲେ । ଦୁଇ ପତ୍ନୀଙ୍କ ପିଲାଙ୍କ ମଧ୍ୟରେ ସମ୍ପତ୍ତି ପାଇଁ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା । ଗତ ୨୧ ତାରିଖ ଦିନ ଏହା ଉଗ୍ରରୂପ ଧାରଣ କରିଥିଲା । ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ସହିତ ହଣାକଟା ହୋଇଥିଲା । ଏଥିପାଇଁ ଉଭୟ ପକ୍ଷ ଚନ୍ଦକା ଥାନାକୁ ଏତଲା ଦେବାକୁ ଆସିଥିବାବେଳେ ସେଠାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେମାନେ ପୁନର୍ବାର ଥାନାରେ ପିଟାପିଟି ହୋଇଥିଲେ । ଥାନା ପରିସରରେ ରକ୍ତ ଛିଟା ପଡ଼ିଥିଲା । ଏହି ସମୟରେ ଥାନାରେ କୌଣସି ଉପରସ୍ଥ ଅଧିକାରୀ ଉପସ୍ଥିତ ନ ଥିଲେ, କେବଳ ୨ ଜଣ କନେଷ୍ଟବଳ ଏବଂ ଜଣେ ଡିସିଓ ଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପୋଲିସ ୧୩ ଜଣଙ୍କୁ ଗିରଫ କରିଛି ଯେଉଁଥିରେ ମହିଳା ମଧ୍ୟ ସାମିଲ ରହିଛନ୍ତି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।