ବାଲେଶ୍ୱର : ରାତି ଅଧରେ ବାଲେଶ୍ୱରରେ ଫୁଟିଲା ଗୁଳି। ଗୁଳିମାଡ଼ରେ ୨ ଯୁବକ ଗୁରୁତର। ଜଣକ ବାମ ହାତ ଓ ଆଉ ଜଣକ ପିଠିରେ ଗୁଳି ବାଜିଛି। ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି ଅପରାଧୀ। ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ଫକୀର ମୋହନ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବରପାଇ ସହଦେଵ ଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, ବାଲେଶ୍ଵର ଅରଡ଼ବଜାର ଅଞ୍ଚଳରେ ଆହତ ଦୁଇଜଣ ଯୁବକ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ହଠାତ ଜଣେ ଦୁର୍ବୁତ୍ତ ତାଙ୍କୁ ଗୁଳିମାଡ଼ କରିଥିଲା। ଯାହାଫଳରେ ଜଣକ ବାମ ହାତ ଓ ଆଉ ଜଣକ ପିଠିରେ ଗୁଳି ବାଜିଥିଲା। ଉଭୟଙ୍କୁ ସେଠାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏବେ ଉଭୟଙ୍କର ଚିକିତ୍ସା ଚାଲିଛି। ତେବେ ୩ ଦିନ ପୂର୍ବରୁ ଝାରସୁଗୁଡା ସହରରେ ଫୁଟିଥିଲା ଗୁଳି। ଜଣେ ମହିଳା ଆହତ ହୋଇଥିଲେ। ଆହତ ମହିଳାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର। ତେବେ ବିଭିନ୍ନ ସ୍ଥାନରେ ବାରମ୍ବାର ଗୁଳିମାଡ ଏକ ଚିନ୍ତାର ବିଷୟ ପାଲଟିଛି।