ଭୁବନେଶ୍ୱର : ମାସ ଶେଷ ସୁଦ୍ଧା ଗ୍ରୀଷ୍ମର କରାଳ ରୂପ। ଦିନକୁ ଦିନ ରାଜ୍ୟରେ ବଢୁଛି ପାରଦ। ଏଥିପାଇଁ ଅସହ୍ୟ ହେଲାଣି ତାତି। ତାତିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ ଟାରୁ ଅନୁଭୂତ ହେଉଛି ଟାଣ ଖରା। ତେବେ ପ୍ରଥମଥର ପାଇଁ ପଶ୍ଚିମଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଛି। ଏହାସହିତ ଆସନ୍ତାକାଲି ଠାରୁ ରାଜ୍ୟରେ ତାପମାତ୍ରା ଆହୁରି ୨ ଡିଗ୍ରୀ ବୃଦ୍ଧି ପାଇବା ପୂର୍ବାନୁମାନ କରାଯାଉଛି।
ଆରଏମସିର ସୂଚନା ଅନୁଯାୟୀ ପ୍ରଚଳିତ ପାଗ ଢାଞ୍ଚା ଯୋଗୁଁ ଦିନର ତାପମାତ୍ରା ବୃଦ୍ଧି ପାଇଛି। ଏହାସହିତ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗ୍ରୀଷ୍ମ ଋତୁର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ହେବାର ପୂର୍ବାନୁମାନ କରାଯାଉଛି। ତେବେ ଭୁବନେଶ୍ୱର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ଅତିକ୍ରମ କରି ଗରମ ତାଲିକାରେ ସାମିଲ ହୋଇଛି। ତେବେ ଅସହ୍ୟ ତାଟିକୁ ଦୃଷ୍ଟିରେ ରଖି ଅଂଶୁଘାତର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲା, ଟ୍ୱିନ୍ ସିଟି, ୧୦ ପୌରାଞ୍ଚଳ ପାଇଁ ହିଟୱେଭ ଆକ୍ସନ ପ୍ଲାନ ହୋଇଛି। ଏହାସହିତ ରାସ୍ତାର ପ୍ରତ୍ୟକଟି ଛକରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି।