ନାବାଳକ ସନ୍ତାନର କଷ୍ଟଡିକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଲଢ଼େଇରେ ପୋଲିସକୁ ସାମିଲ କରିବା ପାଇଁ ଫ୍ୟାମିଲି କୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ନାମଞ୍ଜୁର କରିଦେଇଛନ୍ତି। ଶୀର୍ଷ ଅଦାଲତ ସୋମବାର କହିଛନ୍ତି ଯେ, ଏଭଳି ମାମଲାରେ ପୋଲିସକୁ ଟାଣିବା ଭୁଲ୍।
ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ବେଞ୍ଚ ଭୋପାଳ ଫ୍ୟାମିଲି କୋର୍ଟଙ୍କ ନିର୍ଦ୍ଦେଶକୁ ଅସମ୍ବିଧାନିକ ବୋଲି ଦର୍ଶାଇଛନ୍ତି। ଫ୍ୟାମିଲି କୋର୍ଟ ଗୁରୁଗ୍ରାମ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ପିଲାଟିକୁ ତା’ର ପିତାଙ୍କୁ ହସ୍ତାନ୍ତର କରାଯାଉ, ଯିଏ କି ମଧ୍ୟପ୍ରଦେଶରେ ରହୁଛନ୍ତି।
କ’ଣ ଥିଲା ସମ୍ପୂର୍ଣ୍ଣ ମାମଲା?
ଏହି ମାମଲାରେ ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ଡାକ୍ତର ଏବଂ ସେମାନେ ଅନେକ ବର୍ଷ ଧରି ପରସ୍ପରଠାରୁ ଅଲଗା ରହୁଛନ୍ତି। ପିତାଙ୍କର ଏକ ଆବେଦନ ଉପରେ ଶୁଣାଣି କରି ଫ୍ୟାମିଲି କୋର୍ଟ ଏହି ଆଦେଶ ଦେଇଥିଲେ। ପିତା ଅଭିଯୋଗ କରିଥିଲେ ଯେ, ତାଙ୍କ ପତ୍ନୀ କୋର୍ଟଙ୍କ ବିନା ଅନୁମତିରେ ପିଲାକୁ ବେଆଇନ ଭାବେ ଭୋପାଳ ବାହାରକୁ ନେଇଯାଇଛନ୍ତି, ଯାହା ୨୦୨୨ରେ ଟ୍ରାଏଲ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ସର୍ତ୍ତର ସିଧାସଳଖ ଉଲ୍ଲଂଘନ।
ଉଭୟଙ୍କୁ ସୁପ୍ରିମକୋର୍ଟଙ୍କ ଆଦେଶ
ସୁପ୍ରିମକୋର୍ଟଙ୍କ ବେଞ୍ଚ ସ୍ୱାମୀ ଏବଂ ସ୍ତ୍ରୀ ଉଭୟଙ୍କୁ ମଙ୍ଗଳବାର ଦିନ ପିଲା ସହିତ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, କୌଣସି ଆଦେଶ ଦେବା ପୂର୍ବରୁ ସେ ନିଜ ଚାମ୍ବରରେ ଉଭୟଙ୍କ ସହ କଥା ହେବେ।
ଭୋପାଳ ଫ୍ୟାମିଲି କୋର୍ଟଙ୍କ ନିଷ୍ପତ୍ତି କ’ଣ ଥିଲା?
ଭୋପାଳ ଫ୍ୟାମିଲି କୋର୍ଟ ମା’ଙ୍କ ଅଭିଭାବକତ୍ୱ ରଦ୍ଦ କରି ପିଲାଟିର କଷ୍ଟଡି ପିତାଙ୍କୁ ପ୍ରଦାନ କରିଥିଲେ। କୋର୍ଟ ଦେଖିବାକୁ ପାଇଥିଲେ ଯେ ମା’ ପୂର୍ବରୁ ହୋଇଥିବା ସହମତିର ଉଲ୍ଲଂଘନ କରିଛନ୍ତି - ସେ ପିତାଙ୍କୁ ପିଲା ସହ ମିଶିବାକୁ ଦେଉନାହାନ୍ତି, ବିନା ସୂଚନାରେ ବାରମ୍ବାର ଘର ବଦଳାଉଛନ୍ତି ଏବଂ ପିଲାଟିକୁ ତା’ର ପିତାଙ୍କଠାରୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି।
ଗତବର୍ଷ ନଭେମ୍ବର ମାସରେ ମଧ୍ୟପ୍ରଦେଶ ହାଇକୋର୍ଟ ମଧ୍ୟ ଫ୍ୟାମିଲି କୋର୍ଟଙ୍କ ନିଷ୍ପତ୍ତିକୁ ସଠିକ୍ ବୋଲି ଦର୍ଶାଇଥିଲେ। କୋର୍ଟ ପିଲାଟିର ମଙ୍ଗଳ ଏବଂ ଦିଲ୍ଲୀ ହାଇକୋର୍ଟଙ୍କ ସମାଧାନ କେନ୍ଦ୍ର ରିପୋର୍ଟକୁ ଆଧାର କରି ଏହି ନିଷ୍ପତ୍ତି ନେଇଥିଲେ। ସେହି ରିପୋର୍ଟରେ ଉଲ୍ଲେଖ ଥିଲା ଯେ, ପିଲାଟିର ପିତାଙ୍କ ସହ ରହିବାରେ କୌଣସି ଅସୁବିଧା ନାହିଁ ଏବଂ ମା’ଙ୍କ ବ୍ୟବହାର ଠିକ୍ ନଥିଲା।