ରାଜନଗର: ପୁଅ ଦାଦନ ଖଟିବାକୁ ଯାଇ ସୁଦୂର ଦୁବାଇରେ ବନ୍ଧା ପଡ଼ିଛି । ସେପଟେ ଦୁଇ ପିଲାଙ୍କୁ ଛାଡ଼ି ବୋହୂ କେରଳରେ ଦାଦନ ଖଟୁଛି । ବୁଢ଼ୀ ମା ପାଖେ ନାତି ନାତୁଣୀ ଦୁଇ ଜଣ ଦିନ କାଟୁଛନ୍ତି । ପୁଅକୁ ଦୁବାଇରୁ ସୁରକ୍ଷିତ ଫେରାଇ ଆଣିବାକୁ ନିବେଦନ କରି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଚକ୍ରଧୁରପୁର ବାସିନ୍ଦା ଭାରତୀ ରାଉତ ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତ ଚକ୍ରଧରପୁର ଗ୍ରାମର ବିଜୟ କୁମାର ରାଉତ ଓ ଭାରତୀ ରାଉତଙ୍କ ବଡ଼ ପୁଅ ବିରେନ କୁମାର ରାଉତ ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ଦାଦନ ଖଟିବାକୁ ଦୁବାଇ ଚାଲିଯାଇଥିଲେ । ସେଠାରେ କାମ କରୁଥିବା ସମୟରେ ମାତ୍ର ଥରେ ଘରକୁ ଟଙ୍କା ପଠାଇଥିଲେ । ଏହା ପରେ ଆଉ ଟଙ୍କା ପଠାଇ ନାହାନ୍ତି। ଏ ନେଇ ମୋବାଇଲ ଯୋଗେ ଯୋଗାଯୋଗ କରିବାରୁ କମ୍ପାନୀ ତାଙ୍କୁ ହଇରାଣ କରୁଥିବା ନେଇ ସେ କହିଥିଲେ । ଏହା ପରଠାରୁ ଦୀର୍ଘ ୨ ବର୍ଷ ହେଲା ପରିବାର ଲୋକଙ୍କ ସହିତ ତାଙ୍କର ଆଉ ଯୋଗାଯୋଗ ହୋଇପାରିନାହିଁ ।
ବିରେନ ଘରେ ଦୁଇ ପିଲା ଏବଂ ସ୍ତ୍ରୀକୁ ଛାଡ଼ି ଯାଇଥିଲେ । ତାଙ୍କ ସ୍ୱାମୀ ଦୁବାଇ ଯିବାକୁ ଯେଉଁ ଟଙ୍କା ଧାର କରଜ କରିଥିଲେ ତାକୁ ଶୁଝିବାକୁ ଶେଷରେ ସ୍ତ୍ରୀ ମଧ୍ୟ ଦୁଇ ପିଲାଙ୍କୁ ଶାଶୁଙ୍କ ପାଖେ ଛାଡ଼ି ଦେଇ କେରଳକୁ ଦାଦନ ଖଟିବାକୁ ଯାଇଛନ୍ତି । ଶାଶୁ ଭାରତୀଙ୍କ ପାଖରେ ୨ ପିଲା ରହୁଛନ୍ତି ।
ଏ ନେଇ ମା ଭାରତୀ ପୁଅକୁ ଦୁବାଇ ପଠାଇଥିବା ରାଜନଗର ବ୍ଲକ ଡେରା ଗ୍ରାମର ଏଜେଣ୍ଟ ଚଗୁଲୁ ବେହେରା ନାମରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ପୁଅକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।