ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୧ ଆରମ୍ଭ ହୋଇଛି। ଆଜି ସକାଳୁ ଜଳପଥ ସମେତ ସ୍ଥଳ ପଥରେ ସମରାଭ୍ୟାସ ଆରମ୍ଭ ହୋଇଯାଇଛି। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଦୁଇଥର ଆୟୋଜିତ ଏହି ମିଳିତ ସମରାଭ୍ୟାସ ସାଗର କବଚ। ଏହି ମିଳିତ ସମରାଭ୍ୟାସରେ ଜଳପଥରେ ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରକୁ କିପରି ପ୍ରତିରୋଧ କରାଯାଇପାରିବ ଏହାର କଳାକୌଶଳ ପ୍ରଦର୍ଶନ କରାଯାଉଛି।
ତେବେ ଚଳିତ ବର୍ଷର ପ୍ରଥମ ସମରାଭ୍ୟାସ ସାଗର କବଚ-୧ ଦୁଇଦିନ ଧରି ଗଭୀର ସମୁଦ୍ରରେ ଚାଲିବାକୁ ଥିବାବେଳେ ଆଜି ହେଉଛି ଏହାର ପ୍ରଥମ ଦିନ। ଏହି ମିଳିତ ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀକୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ୧୦ରୁ ଉର୍ଦ୍ଧ୍ବ ବିଭାଗ।
ଗଭୀର ସମୁଦ୍ର ରେ ନୌସେନା, କୋଷ୍ଟଗାର୍ଡ, ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ପଇଁତରା ମାରିବା ସହ ସ୍ଥଳଭାଗରେ ଉପକୂଳକୁ ସୁରକ୍ଷା ଯୋଗାଉଛନ୍ତି ସିଆଇଏସଏଫ, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ, ପୋଲିସ, ବନ ବିଭାଗ ଓ ପାରାଦ୍ଵୀପ ବନ୍ଦର ଭଳି ୧୦ରୁ ଅଧିକ ବିଭାଗ।
ସମସ୍ତ ବିଭାଗକୁ ଦୁଇଟି ଟିମରେ ବିଭକ୍ତ କରାଯାଇଛି। ରେଡ ଟିମ ଆତଙ୍କବାଦୀଙ୍କ ବେଶରେ ଜଳପଥରୁ ଆସି ସ୍ଥଳପଥରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବେ ଏବଂ ଏହି ଆକ୍ରମଣକୁ ପଣ୍ଡ କରିବା ପାଇଁ ବ୍ଲୁ ଟିମ ସ୍ଥଳଭାଗରେ ସଜାଗ ରହିବେ। ଏହି ସମରାଭ୍ୟାସ ମାଧ୍ୟମରେ ଆତଙ୍କବାଦୀ ମାନଙ୍କୁ ସମୂଳେ ଲୋପ କରିବା ସହ ଓଡିଶାର ଉପକୂଳରେ ରହି ବହୁ ଆତଙ୍କବାଦୀ କାର୍ଯ୍ୟକ୍ରମରେ ଲିପ୍ତ ରହୁଥିବା ଆତଙ୍କବାଦୀ ମାନଙ୍କୁ ଧରିବା ହେଉଛି ଏହାର ମୂଳ ଲକ୍ଷ୍ୟ।