ଭାରତ ବଡ଼ ଧରଣର ପ୍ରତିରକ୍ଷା ଚୁକ୍ତି ମାଧ୍ୟମରେ କେବଳ ନିଜ ବାୟୁସେନାର ଶକ୍ତି ବୃଦ୍ଧି କରିବ ନାହିଁ, ବରଂ ପ୍ରତିରକ୍ଷା କ୍ଷେତ୍ରରେ 'ଆତ୍ମନିର୍ଭରଶୀଳତା' ଦିଗରେ ମଧ୍ୟ ଏକ ବଡ଼ ପଦକ୍ଷେପ ନେବ। ଭାରତୀୟ ବାୟୁସେନା (IAF) ର ଶକ୍ତି ବଢ଼ାଇବା ପାଇଁ ସରକାର ଆର୍ଥିକ ବର୍ଷ ୨୦୨୬-୨୭ ରେ ଅନେକ ବଡ଼ ପ୍ରତିରକ୍ଷା ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏଥିରେ ୧୧୪ଟି ମଲ୍ଟି-ରୋଲ୍ ରାଫେଲ୍ ଯୁଦ୍ଧ ବିମାନ, ୬୦ଟି ମିଡିୟମ୍ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ (MTA) ଏବଂ ଅତିରିକ୍ତ ଏୟାରବୋର୍ଣ୍ଣ ଅର୍ଲି ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ୍ (AEW&C) ସିଷ୍ଟମ୍ କିଣିବା ସାମିଲ ଅଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦର ସ୍ଥାୟୀ କମିଟିକୁ ଏହି ସୂଚନା ଦେଇଛି।
ମନ୍ତ୍ରଣାଳୟ ଅନୁଯାୟୀ, ବର୍ଷ ୨୦୨୫-୨୬ ର ବଜେଟ୍ ତୁଳନାରେ IAF ର ପୁଞ୍ଜିଗତ ବଜେଟ୍ରେ ୩୭.୦୩ ପ୍ରତିଶତ ବୃଦ୍ଧି କରାଯାଇଛି, ଯାହା ଆଧୁନିକୀକରଣ ଯୋଜନାକୁ ଗତିଶୀଳ କରିବ।
• ସବୁଠାରୁ ବଡ଼ ଚୁକ୍ତି: ପ୍ରସ୍ତାବିତ ସବୁଠାରୁ ବଡ଼ ଚୁକ୍ତି ଅନୁଯାୟୀ ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣାଯିବ, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କା। ଏହି ଚୁକ୍ତିର ବିଶେଷତ୍ୱ ହେଉଛି, ଏହି ବିମାନଗୁଡ଼ିକ ଫ୍ରାନ୍ସ କମ୍ପାନୀ ସହାୟତାରେ ଭାରତରେ ହିଁ ନିର୍ମିତ ହେବ, ଯାହା 'ମେକ୍ ଇନ୍ ଇଣ୍ଡିଆ'କୁ ପ୍ରୋତ୍ସାହନ ଦେବ।
• ପରିବହନ ବିମାନ: ଏହା ବ୍ୟତୀତ, IAF ନିଜର ପୁରୁଣା An-32 ପରିବହନ ବିମାନଗୁଡ଼ିକୁ ବଦଳାଇବା ପାଇଁ ୬୦ଟି ମିଡିୟମ୍ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ କିଣିବାକୁ ଯୋଜନା କରୁଛି। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ କୋଟି ଟଙ୍କା। ଏଥିମଧ୍ୟରୁ ୧୨ଟି ବିମାନ ସିଧାସଳଖ କିଣାଯିବ, ବାକି ୪୮ଟି ଭାରତରେ ନିର୍ମାଣ କରାଯିବ।
ଏବେ ଶତ୍ରୁର ନିସ୍ତାର ନାହିଁ
ପ୍ରତିରକ୍ଷା ମନ୍ତ୍ରଣାଳୟ ଜଣାଇଛି ଯେ AEW&C ସିଷ୍ଟମ୍, ଫ୍ଲାଇଟ୍ ରିଫ୍ୟୁଲର୍ ଏବଂ ଇଲେକ୍ଟ୍ରୋନିକ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ଆଧୁନିକ ଯୁଦ୍ଧ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସିଷ୍ଟମ୍ ଶତ୍ରୁର ଗତିବିଧି ଉପରେ ନଜର ରଖିବା, ଯୋଗାଯୋଗରେ ଉନ୍ନତି ଆଣିବା ଏବଂ ଯୁଦ୍ଧକ୍ଷେତ୍ରରେ ସଠିକ୍ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ।
• ସଂସଦୀୟ କମିଟିର ଅପିଲ୍: ସଂସଦୀୟ କମିଟି ମଧ୍ୟ ବାୟୁସେନାକୁ ଅପିଲ୍ କରିଛି ଯେ, ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ର କ୍ରୟରେ ବଜେଟ୍ର ପ୍ରଭାବଶାଳୀ ଉପଯୋଗ କରାଯାଉ।
• ଆତ୍ମନିର୍ଭରଶୀଳତା: ସ୍ୱଦେଶୀ ଜ୍ଞାନକୌଶଳକୁ ପ୍ରୋତ୍ସାହନ ଦେବା ପାଇଁ IAF 'ଏରୋସ୍ପେସ୍ ଡିଜାଇନ୍ ନିର୍ଦ୍ଦେଶାଳୟ' (DAD) ସ୍ଥାପନ କରିଛି, ଯାହା ଶିଳ୍ପ, ଗବେଷଣା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବ।