ନୂଆଦିଲ୍ଲୀ: ମଙ୍ଗଳବାର ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ହେଉଛି ୨୫ତମ ଦିନ। ଉଭୟ ପକ୍ଷରୁ ସୋମବାର ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିଥିବା ବେଳେ ମଙ୍ଗଳବାର ଯୁଦ୍ଧ ସମାପ୍ତି ପାଇଁ ପ୍ରୟାସ କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଅସ୍ତ୍ରବିରତିର ସଙ୍କେତ ଦେଇସାରିଛନ୍ତି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନି ମଧ୍ୟ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ ଥିବା ପରି ମନେ ହେଉଛି।
ଖାମେନି କ’ଣ ଟ୍ରମ୍ପଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ?
ସାଉଦି ଆରବର ନ୍ୟୁଜ୍ ଚ୍ୟାନେଲ ଅଲ ଆରବିଆ ଅନୁଯାୟୀ, ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନି ଆମେରିକା ସହିତ ଆଲୋଚନା ଏବଂ ଏକ ଚୁକ୍ତି କରିବାକୁ ରାଜି ହୋଇଛନ୍ତି। ଏଥିପାଇଁ ସେ ଆମେରିକା ସାମ୍ନାରେ କିଛି ସର୍ତ୍ତ ରଖିଛନ୍ତି। ଯଦି ଆମେରିକା ସର୍ତ୍ତ ଉପରେ ସହମତି ଦିଏ ତେବେ ଶୀଘ୍ର ଯୁଦ୍ଧ ଶେଷ ହୋଇପାରେ।
ଉତ୍ତେଜନା ହ୍ରାସ ପାଇଁ ସଙ୍କେତ ଦେଇଥିଲେ ଟ୍ରମ୍ପ
ଉଲ୍ଲେଖନୀୟ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ଇରାନ ସହିତ ଉତ୍ତେଜନା ହ୍ରାସ ପାଇଁ ସଙ୍କେତ ଦେଇଥିଲେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଏକ ପୋଷ୍ଟରେ ଇରାନ ସହିତ ସକାରାତ୍ମକ ଆଲୋଚନା କରାଯାଉଥିବା କହିଥିଲେ। ଏହା ବ୍ୟତୀତ, ଇରାନର ବିଦ୍ୟୁତ୍ କେନ୍ଦ୍ର ଏବଂ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ଆଗାମୀ ପାଞ୍ଚ ଦିନ ପାଇଁ ସ୍ଥଗିତ ରଖିଛି ଆମେରିକା। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଏହି ଆଲୋଚନା ସପ୍ତାହ ସାରା ଜାରି ରହିବ।
ମଧ୍ୟସ୍ଥତା ପ୍ରୟାସ
ଆମେରିକା-ଇରାନ ଯୁଦ୍ଧ ସମାପ୍ତ ପାଇଁ ଉଦ୍ୟମ ଚଳାଇଛନ୍ତି। INS ଅନୁଯାୟୀ, ପାକିସ୍ତାନ ଦୁଇ ପକ୍ଷ ମଧ୍ୟରେ ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ଆଗ୍ରହୀ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିଫ ମୁନିରଙ୍କ ସହିତ ଫୋନ୍ ମାଧ୍ୟମରେ କଥା ହୋଇଥିବା ହ୍ଵାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି।
ଆମେରିକୀୟ ସମ୍ବାଦ ସଂସ୍ଥା ଆକ୍ସିଓସର ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଆମେରିକା ଏବଂ ଇରାନ ଅଧିକାରୀଙ୍କ ମଧ୍ୟରେ ବୈଠକ ହେବାର ସମ୍ଭାବନା ରହିଛି। ଏହି ସପ୍ତାହରେ ଅଧିକାରୀଙ୍କ ମଧ୍ୟରେ ଏହି ବୈଠକ ହୋଇପାରେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏହି ବୈଠକ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କୁ ଇସଲାମାବାଦ ଦ୍ୱାରା କରାଯାଇଥିବା କୂଟନୈତିକ ଯୋଗାଯୋଗ ପ୍ରୟାସ ବିଷୟରେ ସୂଚନା ଦେଇଛନ୍ତି।