ଭୁବନେଶ୍ୱର: ବିଜୁ ଜନତା ଦଳ ଦୁର୍ଘଟଣାକୁ ବାହାନା କରି ବିଧାନସଭା ଚଲାଇ ଦେଉ ନାହିଁ । ଟ୍ରଷ୍ଟ ଗଠନକୁ ନେଇ ତୃଣମୂଳ ସ୍ତରରୁ ଶୀର୍ଷ ନେତୃତ୍ୱଙ୍କ ଯାଏ ଚାଲିଥିବା ଦଳୀୟ କନ୍ଦଳକୁ ଚପାଇ ଦେବାକୁ ରାଜ୍ୟର ଟିକସଦାତାଙ୍କ ପଇସାରେ ଚାଲିଥିବା ବିଧାନସଭାକୁ ଅପବ୍ୟବହାର କରାଯାଉଛି । ଯାହାର ବିଚାର କରିବାକୁ ଓଡ଼ିଶାବାସୀଙ୍କ ଉପରେ ଛାଡ଼ି ଦେଇଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।
ଏସସିବି ପ୍ରସଙ୍ଗରେ ବାରମ୍ବାର ଗୃହକୁ ଅଚଳ କରିବାକୁ ବିଜେଡ଼ି ଯେଉଁ ହୀନ ପ୍ରୟାସ କରୁଛି ତାହା ଉପରେ ବର୍ଷିଛନ୍ତି ଟଙ୍କଧର । ବିଜେଡ଼ିର ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି ବିଜେପି ବିଧାୟକ । ତ୍ରିପାଠୀ କହିଛନ୍ତି ଯେ ଓଡ଼ିଶାରେ ସାଢ଼େ ଚାରି କୋଟି ଲୋକଙ୍କ ଟିକସରେ ବିଧାନସଭା ଚାଲୁଛି । ଲୋକଙ୍କ ସ୍ୱାର୍ଥ ସମ୍ବଳିତ କଥା ଆସୁ ଏବଂ ଆଲୋଚନା ହେଉ ସେଥିପାଇଁ ବିଧାନସଭା ଚାଲୁଛି । କିନ୍ତୁ ବିଜୁ ଜନତା ଦଳ ଦୁର୍ଘଟଣାକୁ ବାହାନା କରି ବିଧାନସଭା ଚଲାଇ ଦେଉ ନାହିଁ । ଟ୍ରଷ୍ଟ ଗଠନକୁ ନେଇ ତୃଣମୂଳ ସ୍ତରରୁ ଶୀର୍ଷ ନେତୃତ୍ୱଙ୍କ ଯାଏ ଚାଲିଥିବା ଦଳୀୟ କନ୍ଦଳକୁ ଚପାଇ ଦେବାକୁ ରାଜ୍ୟର ଟିକସଦାତାଙ୍କ ପଇସାରେ ଚାଲିଥିବା ବିଧାନସଭାକୁ ଅପବ୍ୟବହାର କରାଯାଉଛି । ଦିଲ୍ଲୀରେ ଥିବା ବିଜୁ-ନବୀନ ଟ୍ରଷ୍ଟ ବିଷୟରେ ରାଜ୍ୟସଭାରେ ଉଜାଗର ହୋଇଥିଲା, ଯାହା କାହାକୁ ଜଣାନଥିଲା । ଏହା ଉଜାଗର ହେବା ପରେ ତାଙ୍କ ଦଳର ନେତା ନବୀନ ନିବାସରେ ତାଙ୍କ ଦଳର ସଭାପତିଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ସଭାପତି ଏଭଳି କିଛି ଟ୍ରଷ୍ଟ ନ ଥିବା କହି ଭୂତାଇ ଦେଇଥିଲେ । ତାଙ୍କ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏଭଳି କିଛି ଟ୍ରଷ୍ଟ ନ ଥିବା କହିଥିଲେ । ଠିକ୍ ଦିନକ ପରେ ବିରୋଧୀ ଦଳ ନେତା ତଥା ତାଙ୍କରି ଦଳ ସଭାପତି ଟ୍ରଷ୍ଟ ଥିବା ସ୍ୱୀକାର କରିଥିଲେ । ଯାହାକୁ ନେଇ ତାଙ୍କ ଦଳରେ ହଟଚମଟ ସୃଷ୍ଟି ହେଲା ଏବଂ ବିଧାୟକଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ହେଲା । ତୃଣମୂଳ ସ୍ତରରୁ ନେଇ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଦଳ ଭାଙ୍ଗିବାର ସମ୍ଭାବନା ଦେଖାଦେଲା । ଯାହା ଉପରୁ ନଜର ହଟାଇବାକୁ ବିଧାନସଭା ଅଚଳ କରିବାକୁ କୁହାଗଲା । ଲୋକଙ୍କ ଟିକସରେ ଚାଲୁଥିବା ବିଧାନସଭାକୁ ନିଜ ଦଳର ସୁରକ୍ଷା ପାଇଁ ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା, ଏହାକୁ ଓଡ଼ିଶାବାସୀଙ୍କୁ ବିଚାର କରିବାକୁ ଛାଡ଼ି ଦେଇଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ ।
ସେହିପରି କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି ବିଜେପି ବିଧାୟକ । କଂଗ୍ରେସ ବିଜେଡ଼ିରେ ଉପରେ ଲାଉ ହୋଇ ଚାଲୁଛି । ତାଙ୍କର ଆଉ କୌଣସି ପ୍ରସଙ୍ଗ ନାହିଁ । ଯେତେବେଳେ ବିରୋଧୀ ଦଳର ମୁଖ୍ୟ ସଚେତକ କିଛି ନ କହି ଚାଲିଯାଉଛନ୍ତି, କଂଗ୍ରେସ ଦଳ ସୁନା ପୁଅ ହୋଇ ତାଙ୍କ ପଛେ ପଛେ ଚାଲି ଯାଉଛି । ତାଙ୍କର ଆଉ କୌଣସି ଏଜେଣ୍ଡା ନାହିଁ, କାରଣ କଂଗ୍ରେସ ସଭାପତି ତାଙ୍କ ଦଳକୁ ବିଜେଡ଼ିକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଦେଇଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା, ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ଟଙ୍କଧର ।