ଭୁବନେଶ୍ୱର: ରାଜ୍ୟରେ ମାଓବାଦୀ ସଂଗଠନକୁ ଏକ ବଡ଼ ଝଟ୍କା ଲାଗିଛି। ବର୍ଷ ଦିନ ଧରି ପୋଲିସଙ୍କୁ ଚକମା ଦେଉଥିବା ମୋଷ୍ଟ ୱାଣ୍ଟେଡ ଟପ୍ ମାଓବାଦୀ ନେତା ‘ଶୁକ୍ରୁ’ ଶେଷରେ ଆତ୍ମସମର୍ପଣ କରିଛି। କନ୍ଧମାଳ ପୋଲିସ ନିକଟରେ ଶୁକ୍ରୁ ସହ ଆଉ ୪ ଜଣ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ଏକେ-୪୭ ଭଳି ଆଧୁନିକ ଅସ୍ତ୍ର ସହ ଶୁକ୍ରୁର ସରେଣ୍ଡର ସୁରକ୍ଷା ବ୍ୟବସ୍ଥା ପାଇଁ ବଡ଼ ସଫଳତା ବୋଲି ମନାଯାଉଛି।
ମୁଣ୍ଡରେ ଥିଲା ୫୫ ଲକ୍ଷର ପୁରସ୍କାର ରାଶି
ମାଲକାନଗିରି ଜିଲ୍ଲାର ରହୁଥିବା ଶୁକ୍ରୁ, କଳାହାଣ୍ଡି–କନ୍ଧମାଳ–ରାୟଗଡ଼ା ସୀମାନ୍ତରେ ଲୁଚି ରହି ସକ୍ରିୟ ଥିଲା। ସେ ମାଓବାଦୀଙ୍କ ଜୋନାଲ କମାଣ୍ଡର ଭାବେ କାମ କରୁଥିବା ସହ ‘ଏଇଟ୍ ଥ କମ୍ପାନୀ’ ନାଁରେ ନୂଆ ସଂଗଠନ ଚାଲାଉଥିଲା। ଶୁକ୍ରୁକୁ ଧରାଇ ଦେବା ପାଇଁ ୫୫ ଲକ୍ଷର ପୁରସ୍କାର ଥିଲା।
ସାଥୀଙ୍କୁ ମଧ୍ୟ ଛାଡ଼ିନଥିଲା!
ଆତ୍ମସମର୍ପଣ କରିବାକୁ ଚାହୁଁଥିବା ସହଯୋଗୀ ମାଓବାଦୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ମଧ୍ୟ ରହିଛି ଶୁକ୍ରୁ ବିରୋଧରେ।
ପୋଲିସ ଅପରେସନର ବଡ଼ ସଫଳତା
ମାର୍ଚ୍ଚ ୩୧ ସୁଦ୍ଧା ଶୁକ୍ରୁକୁ ଧରିବା ଲକ୍ଷ୍ୟ ରହିଥିବା ବେଳେ, ତାହା ପୂର୍ବରୁ ହିଁ ସରେଣ୍ଡର କରିବା ପୋଲିସ ପାଇଁ ବଡ଼ ସଫଳତା ମନାଯାଉଛି।
ଆଣ୍ଟି ନକ୍ସଲ ଅପରେସନର ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି—
“ଏହା ମାଓ ସଂଗଠନ ପାଇଁ ବଡ଼ ଝଟ୍କା, ଆମ ପାଇଁ ବଡ଼ ସଫଳତା।” ରାଜ୍ୟରେ ମାଓବାଦୀଙ୍କ ସଂଖ୍ୟା ଏବେ ସିଙ୍ଗଲ ଡିଜିଟ୍କୁ ଖସିଆସିଥିବା ବେଳେ, ଅନ୍ୟମାନଙ୍କୁ ଶୀଘ୍ର ଆତ୍ମସମର୍ପଣ ପାଇଁ ସେ ଆହ୍ବାନ ଦେଇଛନ୍ତି।
ନକ୍ସଲ ମୁକ୍ତ ଭାରତର ଦିଗରେ ଆଉ ଗୋଟିଏ ପଦକ୍ଷେପ?
କେନ୍ଦ୍ର ଗୃହମନ୍ତ୍ରୀଙ୍କ ୨୦୨୬ ସୁଦ୍ଧା ନକ୍ସଲମୁକ୍ତ ଭାରତ ଲକ୍ଷ୍ୟ ମଧ୍ୟରେ, ଏହି ସରେଣ୍ଡରକୁ ବଡ଼ ମାଇଲଷ୍ଟୋନ୍ ବୋଲି ଦେଖାଯାଉଛି। ଲଗାତାର ଅପରେସନ ଓ ଚାପରେ ଏବେ ମାଓବାଦୀମାନେ ଉପାୟଶୂନ୍ୟ ହୋଇ ପୋଲିସ ନିକଟରେ ଆତ୍ମସମର୍ପଣ କରୁଥିବା ଚର୍ଚ୍ଚା ହେଉଛି। କେନ୍ଦ୍ର ଗୃହମନ୍ତ୍ରୀ ପୂର୍ବରୁ ଦେଇଥିବା ଆହ୍ବାନ ଅନୁସାରେ ଆଉ ଏକ ସପ୍ତାହ ପରେ କଣ୍ଟ ପୂରିବ। ଗତବର୍ଷ ଅମିତ ଶାହ କହିଥିଲେ ଯେ, ୨୦୨୬ ସୁଦ୍ଧା ଭାରତକୁ ଏକ ନକ୍ସଲ ମୁକ୍ତ ରାଷ୍ଟ୍ର ଘୋଷଣା କରାଯିବ। ଏହି ଆଧାରରେ ସମୟ ଆଉ ଏକ ସପ୍ତାହ ବାକି ରହିଛି। କଣ୍ଟ ପୂରି ଆସୁଥିବାରୁ ନକ୍ସଲମାନଙ୍କ ଭିତରେ ଛନକା ପଶିଛି। ସେମାନେ ଉପାୟ ଶୂନ୍ୟ ହୋଇ ଏବେ କିଛି ମାସ ହେଲା ପୁଲିସ ନିକଟରେ ଆତ୍ମସର୍ପଣ କରୁଛନ୍ତି।