ଭୁବନେଶ୍ୱର: ବିଜୁ-ନବୀନ ଟ୍ରଷ୍ଟର ଟଙ୍କା କେବଳ ଦିଲ୍ଲୀରେ ଖର୍ଚ୍ଚ ହୋଇପାରିବ । ଓଡ଼ିଶାରୁ ଯେଉଁ କଳା ଧନ ଆୟ କରିଛନ୍ତି ତାହା କେବଳ ଦିଲ୍ଲୀରେ ଖର୍ଚ୍ଚ ହେବ ବୋଲି ଏମିତି ବଡ଼ ଦାବି କରିଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ।
ପଦ୍ମଲୋଚନ ବିଜୁ-ନବୀନ ଟ୍ରଷ୍ଟକୁ ନେଇ ଆଉ ଏକ ବଡ଼ ଖୁଲାସା କରିଛନ୍ତି । ଏଥିରେ ଯେଉଁ ଉପ-ଆଇନ ରହିଛି ତାହାକୁ ଗୁପ୍ତଭାବରେ ତିଆରି କରାଯାଇଛି । ଏହି ଉପ-ଆଇନରେ ରହିଛି ଟ୍ରଷ୍ଟର ପଇସା କେବଳ ଦିଲ୍ଲୀରେ ଖର୍ଚ୍ଚ ହୋଇପାରିବ । ନବୀନ ବାବୁ ଓଡ଼ିଶାରୁ ଯେଉଁ କଳାଧନ ସଂଗ୍ରହ କରିଛନ୍ତି ସେହି ୪ ହଜାର କୋଟି ଟଙ୍କାକୁ ଧଳାରେ ପରିଣତ କରି କେବଳ ଦିଲ୍ଲୀରେ ଖର୍ଚ୍ଚ କରିପାରିବେ । ସେଥିପାଇଁ ବିଜେଡ଼ି ଏବେ ଦୁଇ ଭାଗ ହୋଇଯାଇଛି । ଓଡ଼ିଶା ଲୋକଙ୍କ ଟଙ୍କାକୁ ସେହି ଟ୍ରଷ୍ଟରେ ରଖାଯାଇଛି । ସେହି ଟଙ୍କା ଓଡ଼ିଶାରେ କେବେ ଖର୍ଚ୍ଚ ହୋଇପାରିବ ନାହିଁ । ପାଣ୍ଡିଆନଙ୍କୁ ଯେତେ ବିରୋଧ କଲେ ବି କିଛି ଲୋକ ଛାଡ଼ି ପାରୁ ନାହାଁନ୍ତି ତାହାର କାରଣ ପାଣ୍ଡିଆନ ସେହି କଳାଧନକୁ ଧଳା କରି ଖର୍ଚ୍ଚ କରିବେ । ଏହା ଓଡ଼ିଶା ଲୋକଙ୍କ ପଇସା । ଯାହାକି ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହାର ତଦନ୍ତ ଦାବି କରିଛନ୍ତି ବିଜେପି ବିଧାୟକ । କେଉଁଠୁ ସେହି ୪ ହଜାର କୋଟି ଆସିଲା, ତାହାର ତଦନ୍ତ ହେବା ଉଚିତ । ଏ ନେଇ ବିଧାନସଭାରେ ଦାବି ହୋଇଛି । ସେଥିପାଇଁ ବିଜେଡ଼ି ହୋହାଲ୍ଲା କରିଛନ୍ତି ।