ନୂଆଦିଲ୍ଲୀ: ଭାରତୀୟ ପତାକା ଥିବା ଦୁଇଟି ଏପଲିଜି ଟ୍ୟାଙ୍କର ଯୁଦ୍ଧ ପ୍ରଭାବିତ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଅତିକ୍ରମ କରିଛି। ଏହି ଜାହାଜ ସୋମବାର ସକାଳେ ପାରସ୍ୟ ଉପସାଗରରୁ ଯାତ୍ରା ଆରମ୍ଭ କରିଥିଲା। ଜାହାଜର ଟ୍ରାକିଙ୍ଗ ଡାଟା ଅନୁସାରେ ଇରାନର ଲାରକ ଓ କିଶ୍ମ ଦ୍ଵୀପ ମଧ୍ୟରେ ଜାହାଜ ଗତି କରିଛି, ଯଦ୍ଵାରା ଇରାନ ଅଧିକାରୀଙ୍କୁ ନିଜର ପରିଚୟ ସ୍ପଷ୍ଟ ଭାବେ ଦେଇ ପାରିବେ। ଏହି ଦୁଇଟି ଜାହାଜରେ ମୋଟ୍ ୯୨ ହଜାର ଟନ ଏଲପିଜି ଆସୁଛି, ଯାହା ଦେଶର ପ୍ରାୟ ଗୋଟିଏ ଦିନର ରୋଷେଇ ସହ ସମାନ। ଆଗାମୀ ଦୁଇ ଦିନରେ ଜାହାଜ ଭାରତରେ ପହଞ୍ଚିବାର ସମ୍ଭାବନା ରହିଥିବା ଜାହାଜ ଚଳାଚଳ ମନ୍ତ୍ରଣାଳୟର ସ୍ଵତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା କହିଛନ୍ତି।
ଏହା ପୂର୍ବରୁ ଏମଟି ଶିବାଲିକ ଓ ଏମଟି ନନ୍ଦା ଦେବୀ ଗୁଜରାଟର ମୁନ୍ଦ୍ରା ଓ କାଣ୍ଡଲା ବନ୍ଦରରେ ପହଞ୍ଚିଥିଲା। ଏହି ଦୁଇଟି ଜାହାଜରେ ୯୨ ହଜାର ୭୧୨ ଟନର ଏଲପିଜି ଆସିଥିଲା। ଯୁଦ୍ଧ ସମୟରେ ଭାରତର ଜାହାଜ ହର୍ମୁଜ ପ୍ରଣାଳୀ ଦେଇ ସଫଳତାର ସହ ଆସିବା ଭାରତର ସଫଳ ବୈଦେଶିକ ନୀତିକୁ ଦର୍ଶାଉଛି। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ହର୍ମୁଜ ଜଳଡମରୁମଧ୍ୟରେ ୨୮ ଭାରତୀୟ ଜାହାଜ ଫସି ରହିଥିଲା। ଏଥିରୁ ୨୪ଟି ଜାହାଜ ହର୍ମୁଜର ପଶ୍ଚିମ ଭାଗ ଏବଂ ୪ଟି ପୂର୍ବ ଭାଗରେ ରହିଥିଲା। ନିକଟ ଦିନରେ ଉଭୟ ପାର୍ଶ୍ଵରୁ କିଛି ଜାହାଜ ସୁରକ୍ଷିତ ଭାରତକୁ ଆସି ପାରିଛି।
ବର୍ତ୍ତମାନ ପଶ୍ଚିମ ତଟରେ ୨୨ ଜାହାଜ ରହିଛି, ଯେଉଁଥିରେ ୯୦୦ ନାବିକ ରହିଛନ୍ତି। ୧୧ ନାବିକ ଭାରତ ଫେରି ଆସିଛନ୍ତି। ଏହା ସହିତ ୭ଟି ଏଲପିଜି କ୍ୟାରିୟର, ଗୋଟିଏ ଏଲପିଜି ଟ୍ୟାଙ୍କର, ୪ କ୍ରୁଡ ଓଏଲ ଟ୍ୟାଙ୍କର, କଣ୍ଟେନର ଜାହାଜ, ବଲକ କ୍ୟାରିୟର ସାମିଲ୍। ରିପୋର୍ଟ ଅନୁଯାୟୀ, ଗୋଟିଏ ଖାଲି ଜାହାଜରେ ଏଲପିଜି ଲଦା ଚାଲିଛି। ପାଇନ ଗ୍ୟାସ୍ ଓ ଜଗ ବସନ୍ତ ଦୁଇଟି ଜାହାଜ ହର୍ମୁଜ ଅତିକ୍ରମ କରିବା ପରେ ସେଠାରେ ଅଟକି ରହିଥିବା ଜାହାଜ ସଂଖ୍ୟା ୨୦ ହୋଇଛି। ଏଥିରେ ୫ ଏଲପିଜି କ୍ୟାରିୟର ରହିଛି।
ଏହି ଜାହାଜ ମୁଖ୍ୟତଃ ବିପିସିଏଲ, ଏଚପିସିଏଲ, ଆଇଓସି, ରିଲାଏନ୍ସ ଓ ଅନ୍ୟ କମ୍ପାନି ଦ୍ଵାରା ଚାର୍ଟର କରାଯାଇଛି। ଭାରତ ସରକାର ଫସି ରହିଥିବା ସମସ୍ତ ଜାହାଜର ସୁରକ୍ଷିତ ଫେରାଇ ଆଣିବା ସୁନିଶ୍ଚିତ କରିବା ପାଇଁ ଲଗାତାର ପ୍ରୟାସ କରୁଛନ୍ତି।
Also Read: ଟ୍ରମ୍ପଙ୍କ ବଡ଼ ଘୋଷଣା: ଇରାନ ଉପରେ ୫ ଦିନ ବନ୍ଦ ରହିବ ଆକ୍ରମଣ, ଶାନ୍ତି ପାଇଁ ଆଲୋଚନା ଜାରି