ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ଲୋକସଭା ସଦନରେ ସୋମବାର ଗୃହକୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ ଗଭୀର ଚିନ୍ତାପ୍ରକଟ କରିଛନ୍ତି । ଯୁଦ୍ଧ ଦ୍ୱାରା ପଶ୍ଚିମ ଏସିଆ ଉପରେ ପଡ଼ୁଥିବା ପ୍ରଭାବ, ଭାରତର ବ୍ୟବସାୟିକ କ୍ଷେତ୍ରରେ ପଡ଼ୁଥିବା ପ୍ରଭାବ ଏବଂ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ଦ୍ୱାରା ନିଆଉଥିବା ପଦକ୍ଷେପ ଉପରେ ଗୃହକୁ ଅବଗତ କରାଇଛନ୍ତି । ଭାରତ ସଂସଦରୁ ଏହି ସଙ୍କଟକୁ ନେଇ ଏକମତ ଏବଂ ଏକତାର ସ୍ୱର ସାରା ଦୁନିଆରେ ପହଁଚୁ ବୋଲି ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ସରକାର ସମ୍ବେଦନଶୀଳ, ସତର୍କ ଏବଂ ତତ୍ପର ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଯୁଦ୍ଧ ଦ୍ୱାରା ସମଗ୍ର ବିଶ୍ୱର ଅର୍ଥ ବ୍ୟବସ୍ଥା ଏବଂ ଲୋକଙ୍କ ଜୀବନ ଉପରେ ବିପରୀତ ପ୍ରଭାବ ପଡ଼ୁଛି । ଭାରତ ସାମ୍ନାରେ ମଧ୍ୟ ଏହି ଯୁଦ୍ଧ ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆର୍ଥିକ, ଜାତୀୟ ସୁରକ୍ଷା ଓ ମାନବୀୟ ଚ୍ୟାଲେଞ୍ଜ ସହିତ ଯୋଡ଼ି ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏହାର ତୈଳ ଏବଂ ଗ୍ୟାସ ଆବଶ୍ୟକତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏହି ଅଞ୍ଚଳରୁ ଆମଦାନୀ କରୁଛି। ଆମ ପାଇଁ, ହର୍ମୁଜ୍ ପ୍ରଣାଳୀ ଏବଂ ଉପସାଗରୀୟ ପଥ କେବଳ ଏକ ସାମୁଦ୍ରିକ ପଥ ନୁହେଁ; ଏଗୁଡ଼ିକ ଆମର ଶକ୍ତିର ଜୀବନରେଖା । ଭାରତ ଏହି ସଂଘର୍ଷରେ ସାମିଲ ଏବଂ ଏହା ଦ୍ୱାରା ପ୍ରଭାବିତ ରାଷ୍ଟ୍ର ଉଭୟଙ୍କ ସହିତ ଗଭୀର ବାଣିଜ୍ୟିକ ସମ୍ପର୍କ ରଖିଛି । ଯେଉଁଠି ଯୁଦ୍ଧ ହେଉଛି, ଅନ୍ୟ ଦେଶ ସହିତ ରହିଥିବା ବାଣିଜ୍ୟିକ ସମ୍ପର୍କର ରାସ୍ତା ଅଟେ । ପ୍ରାୟ ଏକ କୋଟି ଭାରତୀୟ ମଧ୍ୟପ୍ରାଚ୍ୟରେ ରହି କାମ କରୁଛନ୍ତି । ସମୁଦ୍ରରେ ଚାଲୁଥିବା ଜାହାଜରେ ଭାରତୀୟଙ୍କ ସଂଖ୍ୟା ବହୁଳ ମାତ୍ରାରେ ରହିଛି । ଏମିତି ଅନେକ କାରଣ ରହିଛି, ଯାହା ଭାରତୀୟଙ୍କ ଚିନ୍ତାର କାରଣ ପାଲଟିଛି । ତେଣୁ ଭାରତ ସଂସଦରୁ ଏହି ସଙ୍କଟକୁ ନେଇ ଏକମତ ଏବଂ ଏକତାର ସ୍ୱର ସାରା ଦୁନିଆରେ ପହଁଚୁ ବୋଲି ମୋଦୀ ଗୁରୁତ୍ୱାରୋପ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମଧ୍ୟପ୍ରାଚ୍ୟରେ ଫସି ରହିଥିବା ଭାରତୀୟମାନଙ୍କୁ ସହାୟତା କରିବା ପାଇଁ ସରକାର ନେଉଥିବା ପଦକ୍ଷେପଗୁଡ଼ିକୁ ଆଲୋକପାତ କରିଛନ୍ତି । ଏହି ଯୁଦ୍ଧରେ ପ୍ରଭାବିତ ଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଯେଉଁମାନଙ୍କର ମୃତ୍ୟୁ ଏବଂ ନିଖୋଜ ରହିଛନ୍ତି, ସେହିମାନଙ୍କ ପରିବାର ସହିତ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସମ୍ପର୍କ ରଖାଯାଇଛି । ଯେଉଁମାନେ ଏଥିରେ ଆହତ ହୋଇଛନ୍ତି ସେମାନଙ୍କୁ ଚିକିତ୍ସା ସେବା ସୁନିଶ୍ଚିତ କରାଯାଉଛି । ସେଠାରେ ରହୁଥିବା ଭାରତୀୟ ଏବଂ ପର୍ଯ୍ୟଟକଙ୍କୁ ଯଥା ସମ୍ଭବ ସାହାଯ୍ୟ କରାଯାଉଛି । ୨୪ ଘଣ୍ଟିଆ ଜରୁରୀକାଳୀନ ଯୋଗାଯୋଗ ନମ୍ବର ସହିତ ନିୟମିତ ପରାମର୍ଶ ଦିଆଯାଉଛି ।
ଯୁଦ୍ଧ ହେବା ପରଠାରୁ ୩ ଲକ୍ଷ ୭୫ ହାଜରରୁ ଅଧିକ ଭାରତୀୟ ସୁରକ୍ଷିତ ଭାବରେ ଘରକୁ ଫେରିଛନ୍ତି। କେବଳ ଇରାନରୁ ୧୦୦୦ ଜଣ ସ୍ୱଦେଶ ଫେରିଛନ୍ତି । ଯେଉଁଥିରେ ୭୦୦ ମେଡ଼ିକାଲ ଛାତ୍ର ରହିଥିବା ପ୍ରଧାନମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି । ସରକାର ସମ୍ବେଦନଶୀଳ, ସତର୍କ ଏବଂ ତତ୍ପର ରହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ଅଶୋଧିତ ତୈଳ, ଗ୍ୟାସ, ସାର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହର୍ମୁଜ୍ ପ୍ରଣାଳୀ ଦେଇ ପହଞ୍ଚେ । ସଂଘର୍ଷ ଆରମ୍ଭ ହେବା ପରଠାରୁ, ଏହି ରାସ୍ତା ଦେଇ ଜାହାଜଗୁଡ଼ିକର ଗମନାଗମନ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ତଥାପି ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ଯୋଗାଣ ପ୍ରାୟତଃ ପ୍ରଭାବିତ ନ ହୁଏ ସରକାର ନିଶ୍ଚିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏହାର ଆବଶ୍ୟକତାର ୬୦ ପ୍ରତିଶତ ଏଲପିଜି ବା ଇନ୍ଧନ ଗ୍ୟାସ ଆମଦାନୀ କରିଥାଏ। ଯୋଗାଣରେ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି, ସରକାର ଘରୋଇ ଗ୍ରାହକମାନଙ୍କୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି । ଏହାରି ମଧ୍ୟରେ ଦେଶରେ ମଧ୍ୟ ଘରୋଇ ଏଲପିଜି ଉତ୍ପାଦନ ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରହିଛି। ଏହି ସଂଘର୍ଷ ବିଶ୍ୱବ୍ୟାପୀ ସୃଷ୍ଟି କରିଥିବା କଷ୍ଟକର ପରିସ୍ଥିତିର ଦୀର୍ଘସ୍ଥାୟୀ ପ୍ରଭାବ ପଡ଼ିବ । ତେଣୁ, ଆମକୁ ପ୍ରସ୍ତୁତ ଏବଂ ଏକଜୁଟ ହୋଇ ରହିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏହି କୋଭିଡ୍ ସମୟକୁ ଉଦାହରଣ ଦେଇ କହିଛନ୍ତି ଯେ ଯେପରି ଆମେ ମିଳିତ ଭାବରେ କରୋନା ଭାଇରସର ଚ୍ୟାଲେଞ୍ଜକୁ ପରାସ୍ତ କରିଛୁ, ସେହିପରି ଏବେ ପୁଣି ଥରେ, ଏହି ସଙ୍କଟର ସାମ୍ନା କରିବା ପାଇଁ ଆମକୁ ଏକତ୍ରିତ ହେବାକୁ ପଡିବ ।
ଭାରତ ଶକ୍ତି କ୍ଷେତ୍ର ରେ ନିଜକୁ କିପରି ପୂର୍ବ ପ୍ରସ୍ତୁତି କରି ରଖିଛି ପ୍ରଧାନମନ୍ତ୍ରୀ ତାହା ସଂସଦରେ ବର୍ଣ୍ଣନା କରିଛନ୍ତି । ଭାରତ ଏଭଳି ସଙ୍କଟ ପାଇଁ ଗତ ୧୧ ବର୍ଷରୁ ନିଜକୁ ପ୍ରସ୍ତୁତ କରୁଛି । ୧୧ ବର୍ଷ ତଳେ ଦେଶର ଶକ୍ତି କ୍ଷେତ୍ରରେ କ୍ଷମତା ମାତ୍ର ୩ ଗୀଗାୱାଟ୍ ଥିବାବେଳେ ଯାହା ଏବେ ବୃଦ୍ଧି ପାଇ ୧୪୦ ଗୀଗାୱାଟରେ ପହଁଚିଛି । ଯାହାକୁ ୪୬ ଗୁଣା ବୃଦ୍ଧି ପାଇଛି । ପିଏମ ସୂର୍ଯ୍ୟଘର ଯୋଜନାରେ ଗତ ଏକ ବର୍ଷ ମଧ୍ୟରେ ୪୦ ଲକ୍ଷ ଉପଭୋକ୍ତା ଛାତ ଉପରେ ସୋଲାର୍ ପ୍ୟାନେଲ୍ ଲଗାଇଛନ୍ତି । ଗୋବର୍ଦ୍ଧନ ଯୋଜନାରେ ଦେଶରେ ୨୦୦ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନା ହୋଇଛି । ଶାନ୍ତି ଆଇନ ଜରିଆରେ ଦେଶରେ ପରମାଣୁ ଶକ୍ତିର ଉତ୍ପାଦନ ବୃଦ୍ଧି ପାଇଛି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସଂଘର୍ଷ ଆରମ୍ଭ ହେବା ପରଠାରୁ, ଭାରତ ପ୍ରତ୍ୟେକ ମଞ୍ଚରେ ନିଜର ଚିନ୍ତା ପ୍ରକାଶ କରିଆସିଛି । ପ୍ରଧାନମନ୍ତ୍ରୀ ନିଜେ ପଶ୍ଚିମ ଏସିଆର ସମସ୍ତ ପ୍ରମୁଖ ନେତାଙ୍କ ସହ କଥା ହୋଇ ଉତ୍ତେଜନା ହ୍ରାସ ପାଇଁ ନିବେଦନ କରିଛନ୍ତି । ଭାରତ ସ୍ପଷ୍ଟ ଭାବରେ କହିଛି ଯେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ବନ୍ଦ ହେବା ଉଚିତ । ଶକ୍ତି ଏବଂ ପରିବହନ ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ ହେବା ଉଚିତ ଏବଂ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ। ହର୍ମୁଜ ଭଳି ଜଳ ପଥ ବନ୍ଦ କରିବା ସମ୍ପୂର୍ଣ୍ଣ ଅସ୍ୱୀକାର ଅଟେ । ଉଭୟ ପକ୍ଷ ଯଥାଶୀଘ୍ର ସମାଧାନ ମାର୍ଗରେ ଅଗ୍ରସର ହେବା ଉଚିତ ବୋଲି ମୋଦୀ ଜୋର ଦେଇଛନ୍ତି ।
ସେହିପରି ଯେଉଁମାନେ ଏଭଳି ସଙ୍କଟ ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଚେତାବନୀ ଦେଇଛନ୍ତି । ସେହିପରି ତଟ ସୁରକ୍ଷା, ସୀମା ସୁରକ୍ଷା, ସାଇବର ସୁରକ୍ଷା ଏବଂ ପ୍ରତିରକ୍ଷା ଠିକଣାଗୁଡ଼ିକର ସୁରକ୍ଷା ବଢ଼ାଇ ଦିଆଯାଇଛି ।