ଚେନ୍ନାଇ: ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ନିଜର ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଛି। ସିଏସକେର କିମ୍ବଦନ୍ତୀ ଖେଳାଳି ଯଥା ମାଥ୍ୟୁ ହେଡେନ, ଡୱେନ ବ୍ରାଭୋ, ମାଇକେଲ ହସି, ମୁଥୈୟା ମୁରଲୀଧରନ, ପାର୍ଥିବ ପଟେଲ, ମୁରଲୀ ବିଜୟ, ଏସ. ବଦ୍ରିନାଥ ଏବଂ ସୁରେଶ ରାଇନା ଆଦି ଉପସ୍ଥିତ ଥିଲେ।
ଏହି ସମୟରେ ଏମଏସ ଧୋନିଙ୍କୁ ପଡ଼ିଆରେ ଦେଖିବାକୁ ମିଳିଥିଲା। ଧୋନୀ ଓ୍ଵିକେଟ୍ କିପିଂ କରିବା ସହ ବିଭିନ୍ନ ଖେଳାଳିଙ୍କୁ ଭେଟିଥିଲେ। ଷ୍ଟାଡିୟମରେ ଥିବା ପ୍ରଶଂସକମାନେ ତାଙ୍କୁ ଦେଖି ଖୁସିରେ ଆତ୍ମବିଭୋର ହୋଇ ପଡ଼ିଥିଲେ। ଧୋନି ପୂର୍ବତନ କ୍ରିକେଟର ଏବଂ ବିଶ୍ଵକପ୍ ବିଜେତା ଖେଳାଳିମାନଙ୍କୁ ସମ୍ମାନିତ କରିଥିଲେ। ଏମଏସ ଧୋନି ଏବଂ ସୁରେଶ ରାଇନାଙ୍କୁ ଏକାଠି ଦେଖି ପ୍ରଶଂସକମାନଙ୍କ ଖୁସି କହିଲେ ନ ସରେ। ଷ୍ଟାଡିୟମର ପରିବେଶ ବେଶ ମନମୋହକ ଥିଲା।
ରାଜସ୍ଥାନ ରୟାଲ୍ସରୁ ସିଏସକେରେ ଯୋଗ ଦେଇଥିବା ସଞ୍ଜୁ ସାମସନଙ୍କୁ ମଧ୍ୟ ବହୁତ ଭଲପାଇବା ମିଳିଥିଲା। ଏହି ସମୟରେ ପୂର୍ବତନ କ୍ରିକେଟରମାନେ ମଧ୍ୟ କ୍ରିକେଟ ଖେଳିଥିଲେ। ମାଇକେଲ ହସି ଋତୁରାଜ ଗାୟକୱାଡଙ୍କ ବଲରେ ଏକ ବିଶାଳ ଛକା ମାରିଥିଲେ। ଏମଏସ ଧୋନି ୱିକେଟକିପିଂ କରିଥିବା ବେଳେ ମୁଥୈୟା ମୁରଲୀଧରଣ ବୋଲିଂ କରିଥିଲେ ଏବଂ ସଞ୍ଜୁ ସାମସନ ତାଙ୍କୁ ଛକା ମାରିଥିଲେ।
IPL 2026 ରେ କୋଲକାତା ନାଇଟ୍ ରାଇଡର୍ସର ପରାମର୍ଶଦାତା ଡୱେନ୍ ବ୍ରାଭୋ ମଧ୍ୟ CSK ଫ୍ରାଞ୍ଚାଇଜ୍ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବ୍ରାଭୋ ଗୀତ ଗାଇ ପ୍ରଶଂସକମାନଙ୍କୁ ମନୋରଞ୍ଜନ କରିଥିଲେ।
ଧୋନି ସାମସନଙ୍କୁ କଲେ ପୁରସ୍କୃତ
ଚେନ୍ନାଇ ସୁପର କିଙ୍ଗ୍ସର ଶିବମ୍ ଦୁବେ ଏବଂ ସଞ୍ଜୁ ସାମସନ ୨୦୨୬ ଟି ୨୦ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ଅଂଶ ଥିଲେ। ଏମଏସ ଧୋନି ଉଭୟ ଖେଳାଳିଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରିଥିଲେ। ଏହା ସହ ନିଜ ଅଧିନାୟକତ୍ୱରେ ଭାରତକୁ ୧୯ ବର୍ଷରୁ କମ୍ ବିଶ୍ୱକପ୍ ବିଜୟୀ କରାଇଥିବା ଆୟୁଷ ମହାତ୍ରେଙ୍କୁ ମଧ୍ୟ ଧୋନୀ ସମ୍ମାନିତ କରିଥିଲେ। ପରେ ପ୍ରଶଂସକଙ୍କ ଗହଣକୁ ଟେନିସ୍ ବଲ୍ ଫିଙ୍ଗିଥିଲେ ମାହି।