ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଫାଫାମଊ ଅଞ୍ଚଳରେ ସୋମବାର ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ଏକ ଶୀତଳଭଣ୍ଡାରର କାନ୍ଥ ଭୁଶୁଡ଼ିବା ଦ୍ୱାରା ୯ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଆମୋନିଆ ଗ୍ୟାସ୍ ପାଇପ୍ ଫାଟି ଯିବାରୁ ବିସ୍ଫୋରଣରେ କାନ୍ଥ ଭୁଶୁଡ଼ିଥିବା କୁହାଯାଉଛି ।
ଆଜି ଅପରାହ୍ନରେ ପ୍ରଥମେ ଶୀତଳ ଭଣ୍ଡାରରେ ଏକ ଭୟଙ୍କର ଶବ୍ଦ ଶୁଭିଥିଲା । ଏହା ପରେ କାନ୍ଥ ଭୁଶୁଡ଼ି ପଡ଼ି ପଡ଼ିଥିଲା । ତୁରନ୍ତ ଉଦ୍ଧାର କରି ଦଳ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଜେସିବି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରାଯାଇଛି । ଶୀତଳ ଭଣ୍ଡାରରେ ସେହି ସମୟରେ ପ୍ରାୟ ୨୦ ଜଣ ଶ୍ରମିକ ଉପସ୍ଥିତ ଥିବାବେଳେ ୯ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସେପଟେ ଆହତଙ୍କୁ ହସ୍ପିଟାଲ ନେବାକୁ ଆସିଥିବା ଆମ୍ବୁଲାନ୍ସ ଉପରକୁ ସ୍ଥାନୀୟ ଲୋକେ ପଥର ମାଡ଼ କରିଛନ୍ତି । ଏହି ସମୟରେ ପୋଲିସ ଏବଂ ଜନତାଙ୍କ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଆହତଙ୍କୁ ସ୍ୱରୂପରାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଆହତଙ୍କ ଅବସ୍ଥା ଗମ୍ଭୀର ରହିଛି ।
ସେପଟେ ଆମୋନିଆ ଗ୍ୟାସ୍ ପାଇପ୍ ଫାଟିଯିବାରୁ କାନ୍ଥ ଭୁଶୁଡ଼ିଥିବା ସନ୍ଦେହ କରାଯାଉଛି । ଗ୍ୟାସ୍ ନିର୍ଗତ ହେଉଥିବାରୁ ଆଖପାଖ ଅଞ୍ଚଳରେ ଭୟର ବାତ୍ତାବରଣ ଖେଳିଯାଇଛି । ଆମୋନିଆ ଗ୍ୟାସ୍ ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଶ୍ରମିକମାନେ ଖାଇ ବସିଥିବାବେଳେ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଥିବା କୁହାଯାଉଛି ।
ପ୍ରୟାଗରାଜ ପୋଲିସ କମିଶନର ଯୋଗିନ୍ଦର କୁମାର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ମନୀଷ ବର୍ମା ଘଟଣା ସ୍ଥଳରେ ପହଁଚି ସ୍ଥିତି ପରଖିଛନ୍ତି । ଏହି ଶୀତଳ ଭଣ୍ଡାର ଚାନ୍ଦପୁରର ପୂର୍ବତନ ବିଧାୟକଙ୍କର ବୋଲି ଜଣାପଡ଼ିଛି । ପ୍ରାୟ ୬୦ ଏକର ଜମିର ବିଶାଳ ଶୀତଳ ଭଣ୍ଡାର ନିର୍ମାଣ କରାଯାଇଛି । ଯାହାର ଉଚ୍ଚତା ୪୦ ଫୁଟ୍ ଏବଂ ଲମ୍ବା ୭୫ ଫୁଟ୍ ଅଟେ ।